Latest Odisha News

BREAKING NEWS

ମହିଳା ଏସିଆ କପ ହକି: ଚୀନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ ହକିରେ ଗୁରୁବାର ଭାରତ ସୁପର ଫୋର ମୁକାବିଲାରେ ଆୟୋଜକ ଚୀନଠାରୁ ୪-୧ ଗୋଲରେ ପରାଜିତ ହୋଇଛି । ଏଥିସହ ଚୀନ ଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ନେଇ ଚାପ ବଢ଼ିବାରେ ଲାଗିଛି । ସେପ୍ଟମ୍ବର ୧୨ରେ ଖେଳାଯିବାକୁ ଥିବା ଜାପାନ ବିପକ୍ଷ ମ୍ୟାଚରେ ଭାରତ ବିଜୟ ହାସଲ କଲେ ଫାଇନାଲରେ ପ୍ରବେଶ କରିବ । ଭାରତ ପକ୍ଷରୁ ମମତାଜ ଖାଁ ୩୮ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଚୀନ ପକ୍ଷରୁ ଜୋଉ ମେରିଙ୍ଗୋ ୨ଟି ଏବଂ ଚେନ ୟାଙ୍ଗ ଓ ଟ୍ୟାନ ଜିନଝୁଙ୍ଗ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ।

ଭାରତ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଚୀନ ୪ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା । ୩୧ ତମ ମିନିଟ ବେଳକୁ ଆୟୋଜକ ଟିମ ୨-୦ର ଅଗ୍ରଣୀ ହାସଲ କରି ଭାରତକୁ ଚାପରେ ପକାଇ ଦେଇଥିଲା । ୩୮ତମ ମିନିଟରେ ଭାରତ ଗୋଲ ସ୍କୋର କରି ଆଶା ସଂଚାର କରିଥିଲେ ମଧ୍ୟ ଏହା ବେଶୀ ସମୟ ତିଷ୍ଠି ନ ଥିଲା । ଏହା ପରେ ୪୭ ଓ ୫୬ତମ ମିନିଟରେ ଚୀନ ଗୋଲ ସ୍କୋର କରି ମ୍ୟାଚକୁ ୪-୧ରେ ଜିତି ନେଇଥିଲା ।

Comments are closed.