ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ ଉଲଂଘନ କରିବା ସହ ସୁରକ୍ଷାରେ ଅବହେଳା କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଡିଜି ସିକ୍ୟୁରିଟି ଏକ ଚିଠି ଲେଖିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କର Z+ ସହିତ ASL (ଆଡଭାନ୍ସଡ୍ ସିକ୍ୟୁରିଟି ଲିଆଜନ୍) ବର୍ଗ ସୁରକ୍ଷା ପାଳନ କରୁନଥିବା ନେଇ CRPF VVIP ସୁରକ୍ଷା ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଦେଶ ଗସ୍ତରେ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ସିଆରପିଏଫକୁ ଆବଶ୍ୟକ ସୂଚନା ଦିଅନ୍ତି ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି। ପ୍ରୋଟୋକଲ ଅନୁଯାୟୀ Z+ ବର୍ଗର ସୁରକ୍ଷିତ ବ୍ୟକ୍ତିମାନଙ୍କୁ ବିଦେଶ ଯାତ୍ରା କରିବାକୁ ଥିଲେ ଅତି କମରେ ୧୫ ଦିନ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଜଣାଇବାକୁ ପଡିଥାଏ। ଯାହା ଦ୍ଵାରା ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥାନୀୟ ଏଜେନ୍ସି ମାନଙ୍କ ସହ ଯୋଗାଯୋଗ କରାଯାଇ ସମସ୍ତ ବ୍ୟବସ୍ଥା କରାଯାଇଥାଏ।
ତେବେ ଗତ ୯ ମାସ ମଧ୍ୟରେ ରାହୁଲ ଏହି ପ୍ରୋଟୋକଲକୁ ଅଣଦେଖା କରି ୬ ଥର ବିଦେଶ ଗସ୍ତ କରିଥିବା ସତ୍ୱେ ଏଜେନ୍ସିଗୁଡ଼ିକୁ ପୂର୍ବରୁ କୌଣସି ସୂଚନା ଦେଇନଥିଲେ। ଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି କୁହାଯାଇଛି।
ତେବେ ସେ ୩୦ ଡିସେମ୍ବର ୨୦୨୪ରୁ ୯ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଇଟାଲୀ ଗସ୍ତ, ୧୨ ମାର୍ଚ୍ଚରୁ ୧୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭିଏତନାମ ଗସ୍ତ ଓ ୧୭ ଏପ୍ରିଲରୁ ୨୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଦୁବାଇ ଗସ୍ତରେ ଯାଇଥିଲେ। ଏହି ସମୟରେ କୌଣସି ସୂଚନା ମଧ୍ୟ ଦେଇନଥିଲେ। ଏଥିସହିତ ୧୧ ଜୁନରୁ ୧୮ ଜୁନ ୨୦୨୫ ପର୍ଯ୍ୟନ୍ତ କତାରର ଦୋହା ଗସ୍ତ, ୨୫ ଜୁନରୁ ୬ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତ ଏବଂ ୪ ସେପ୍ଟେମ୍ବରରୁ ୮ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ମାଲେସିଆ ଗସ୍ତ ସମ୍ପର୍କରେ ମଧ୍ୟ ସୂଚନା ଦେଇନଥିବା ଚିଠିରେ ଅଭିଯୋଗ ହୋଇଛି।
ତେବେ ରାହୁଲ ଗାନ୍ଧୀ ଦେଶର ସବୁଠାରୁ ସମ୍ବେଦନଶୀଳ VVIP ମାନଙ୍କ ମଧ୍ୟରୁ ହୋଇଥିବାରୁ ତାଙ୍କ ସୁରକ୍ଷାରେ କୌଣସି ପ୍ରକାରର ତ୍ରୁଟି ଜାତୀୟ ଗୁରୁତ୍ୱର ବିଷୟ ବୋଲି ସିଆରପିଏଫ ଡିଜି କହିଛନ୍ତି।
Comments are closed.