ଭୁବନେଶ୍ବର: ୧୫ ହଜାର ଲାଞ୍ଚ ନେବାବେଳେ ବାମରା ତହସିଲଦାର ଅଶ୍ବିନ ପଣ୍ଡା ଧରାପଡିବା ଘଟଣା । ଏନେଇ ବଡ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ବ୍ୟାଚର ଟପର ଅଶ୍ୱିନୀ କୁମାର ପଣ୍ଡା ଲାଞ୍ଚ ନେଇ ଧରାପଡ଼ିଛନ୍ତି, ଆଜି କିମ୍ବା କାଲି ଭିତରେ ତାଙ୍କୁ ନିଲମ୍ବିତ କରାଯିବ । ସେ ଆହୁରି କହିଛନ୍ତି, ରାତାରାତି ଦୁର୍ନୀତି କମିବ ନାହିଁ । କିନ୍ତୁ ଯିଏ ଦୁର୍ନୀତି କରିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭିଜିଲାନ୍ସ ଓ ପୋଲିସ ଆକ୍ସନ ନେବା ପୂର୍ବରୁ ବିଭାଗ ପହଞ୍ଚିବ । ଲୋକେ ଅଭିଯୋଗ ଆଣିଲେ ତୁରନ୍ତ ଆକ୍ସନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ବିଜେପି ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଦୁର୍ନୀତି କରି ଅନେକ ଅଫିସର ଜେଲରେ ଗଲେଣି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା । ଶୁକ୍ରବାର ସେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
Comments are closed.