Latest Odisha News

BREAKING NEWS

‘ମୁଁ କ୍ଷମତାର ସ୍ୱାଦ ଚାଖିବାକୁ ଆସିନାହିଁ, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ’

କାଠମାଣ୍ଡୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୨ ସେପ୍ଟେମ୍ବର ରାତିରେ ସିଂହ ଦରବାରରେ ଶପଥ ଗ୍ରହଣ କରିଥିଲେ । କାର୍କି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭଙ୍ଗାରୁଜାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ତଦନ୍ତ କରାଯିବ । ମୁଁ ଏବଂ ମୋ ଦଳ ଏଠାକୁ କ୍ଷମତା ସ୍ୱାଦ ଚାଖିବାକୁ ଆସିନାହୁଁ । ଆମେ ୬ ମାସରୁ ଅଧିକ ସମୟ ରହିବୁ ନାହିଁ । ଏହା ପରେ, ଆମେ ନୂତନ ସଂସଦକୁ ଦାୟିତ୍ୱ ହସ୍ତାନ୍ତର କରିବୁ । କାର୍କି ଘୋଷଣା କରିଛନ୍ତି ଯେ ସରକାର ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ସହିଦ ଘୋଷଣା କରାଯିବ ।

କାର୍କି ଆହୁରି କହିଛନ୍ତି, ‘ନେପାଳର ଲୋକଙ୍କ ସମର୍ଥନ ବିନା ଆମେ ସଫଳ ହୋଇପାରିବୁ ନାହିଁ । ଏହା ପ୍ରଥମ ଥର ଯେ ନେପାଳରେ ୨୭ ଘଣ୍ଟା ଧରି ପ୍ରତିବାଦ କରାଯାଇଛି । ଲୋକମାନେ ଆର୍ଥିକ ସମାନତା ଏବଂ ଦୁର୍ନୀତିର ଅନ୍ତ ଦାବି କରୁଛନ୍ତି । ନେପାଳକୁ ପୁଣିଥରେ ଠିଆ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଆମେ ପଛକୁ ହଟିବୁ ନାହିଁ । ଆମେ ଆମ ଦେଶକୁ ପୁଣି ଥରେ ଶକ୍ତିଶାଳୀ କରିବା ପାଇଁ କାମ କରିବୁ । ଜେନ୍ ଜେଡ୍ ପିଢ଼ିର ଚିନ୍ତାଧାରା ଅନୁସାରେ ଆମକୁ ଆଗକୁ ବଢ଼ିବାକୁ ପଡିବ।’

କାର୍କି ତାଙ୍କ କ୍ୟାବିନେଟକୁ ଚୂଡ଼ାନ୍ତ କରିବା ପାଇଁ ଜେନ୍-ଜେଡ୍ ଆନ୍ଦୋଳନର ନିକଟତମ ପରାମର୍ଶଦାତା ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ପରାମର୍ଶ ଆରମ୍ଭ କରିଛନ୍ତି । ନେପାଳୀ ଗଣମାଧ୍ୟମ ଅନୁଯାୟୀ, କାର୍କି ସମସ୍ତ ୨୫ଟି ମନ୍ତ୍ରଣାଳୟର କ୍ଷମତା ରଖିଥିଲେ ମଧ୍ୟ, ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କୁ ନେଇ ଏକ ସୁବ୍ୟବସ୍ଥିତ କ୍ୟାବିନେଟ ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଗତ ଶୁକ୍ରବାର ଦିନ ନେପାଳର ସଂସଦକୁ ଆନୁଷ୍ଠାନିକ ଭାବରେ ଭଙ୍ଗ କରାଯାଇଥିଲା । ୬ ମାସ ପରେ ଅର୍ଥାତ୍ ୫ ମାର୍ଚ୍ଚ ୨୦୨୬ ରେ ନୂତନ ନିର୍ବାଚନ ହେବାର ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ରବିବାର ଦିନ କାଠମାଣ୍ଡୁ ଏବଂ ଅନ୍ୟାନ୍ୟ ସହରଗୁଡ଼ିକର ରାସ୍ତାଘାଟରେ ପରିସ୍ଥିତି ସ୍ୱାଭାବିକ ଦେଖାଯାଉଥିଲା । ସେଠାରେ କମ୍ ଯାତାୟାତ ହେଉଛି ଏବଂ ଧୀରେ ଧୀରେ ଦୋକାନଗୁଡ଼ିକ ଖୋଲିବାରେ ଲାଗିଛି । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ନିଯୁକ୍ତି ଲୋକଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଛି । ୮ ସେପ୍ଟେମ୍ବରରେ ଜେନେ ଜେଡ୍ ପ୍ରତିବାଦକାରୀମାନେ କେପି ଓଲି ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରତିବାଦ ସମୟରେ ହିଂସାରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଜେନେ ଜେଡ୍ ପ୍ରତିବାଦକାରୀଙ୍କ ଚାପରେ ୯ ସେପ୍ଟେମ୍ବରରେ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍ ୧୨ ସେପ୍ଟେମ୍ବରରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ୧୩ ସେପ୍ଟେମ୍ବରରେ ୨୭୫ ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରାଯାଇଥିଲା ଏବଂ ନିର୍ବାଚନ ପାଇଁ ତାରିଖ ୫ ମାର୍ଚ୍ଚ ୨୦୨୬ ଧାର୍ଯ୍ୟ କରାଯାଇଥିଲା ।

 

Comments are closed.