ନୂଆଦିଲ୍ଲୀ: ଅଲିମ୍ପିକ ପକଦ ବିଜେତା ଭାରତର ଷ୍ଟାର ରେସଲର ଅମନ ସେହରାୱତ ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ଅମନଙ୍କ ଓଜନ ୧.୭ କିଲୋଗ୍ରାମ ଆବଶ୍ୟକଠାରୁ ଅଧିକ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେ ପୁରୁଷ ୫୭ କିଗ୍ରା ଇଭେଂଟରେ ଅଂଶଗ୍ରହଣ କରୁଥିଲେ । ଭାରତୀୟ ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅଗଷ୍ଟ ୨୫ରେ କ୍ରୋଏସିଆର ଜାଗ୍ରେବରେ ପଂହଚିଥିଲେ । ଅମନଙ୍କ ନିକଟରେ ଓଜନ କମାଇବା ପାଇଁ ଯଥେଷ୍ଟ ସମୟ ଥିଲେ ମଧ୍ୟ ସେ କାହିଁକି ଦାୟିିତ୍ୱହୀନ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୧୭୦୦ ଗ୍ରାମ ଓଜନ ବଢ଼ିବା ଗ୍ରହଣୀୟ ନୁହେଁ ବୋଲି ଜଣେ ପୂର୍ବତନ ରେସଲର କହିଛନ୍ତି ।
ପ୍ୟାରିସ ଗେମ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏଥିଯୋଗୁ ଭାରତ ଏକ ସ୍ୱର୍ଣ୍ଣ ପଦକ ଜିତିବା ସୁଯୋଗ ହାତଛଡା କରିଥିଲା । ୨୦୨୩ରେ ୱାର୍ଲ୍ଡ ୟୁନାଇଟେଡ ରେସଲିଂ ନିୟମ ଅନୁସାରେ ର୍ୟାଙ୍କିଙ୍ଗ ସିରିଜ ଓ ଅନ୍ୟ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨କିଗ୍ରା ପର୍ଯ୍ୟନ୍ତ ବର୍ଦ୍ଧିତ ଓଜନ ଗ୍ରହଣୀୟ । ମାତ୍ର ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପରେ ୧ ଗ୍ରାମ ଓଜନ ଅଧିକ ଗ୍ରହଣୀୟ ନୁହେଁ । ଅମନ ପ୍ୟାରିସ ଗେମ୍ସରେ ଫ୍ରି ଷ୍ଟାଇଲ ୫୭ କିଗ୍ରା ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥିସହ ସେ ଭାରତ ପକ୍ଷରୁ ସବୁଠାରୁ କମ ବୟସରେ ପଦକ ଜିତିବା ଗୌରବ ହାସଲ କରିଥିଲେ ।
Comments are closed.