Latest Odisha News

BREAKING NEWS

ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ମୋତେ ମର୍ମାହତ କରିଛି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଆଜି ପୋତା ହୋଇଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଏକ ଜଙ୍ଗଲରୁ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, କମିଶନରେଟ ପୋଲିସରେ କାର୍ଯ୍ୟରତ ୨୫ ବର୍ଷୀୟ ମହିଳା କନେଷ୍ଟବଳ ରାଜଧାନୀରୁ ନିଖୋଜ ହେବା ଏବଂ ପରେ ତାଙ୍କ ମୃତ ଦେହ ମିଳିବା ମୋତେ ଅତ୍ୟନ୍ତ ବ୍ୟଥିତ ଓ ଚକିତ କରିଛି । ଶୁଭମିତ୍ରାଙ୍କ ମୃତ୍ୟୁ ଖବର ମୋତେ ମର୍ମାହତ କରିଛି । ଏହି ଘଟଣା ଗୃହ ବିଭାଗ ଓ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ପୋଲିସ ବିଭାଗ ତାଙ୍କ ନିଜର ଜଣେ ମହିଳା କର୍ମଚାରୀଙ୍କୁ ୧୦ ଦିନ ଧରି ଖୋଜି ପାଉନାହିଁ ତେବେ ସାଧାରଣ ନାଗରିକଙ୍କ ଅବସ୍ଥା କିପରି ଥିବ ତାହା ସହଜରେ ଅନୁମେୟ ।

ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତଙ୍କ ବିଷୟରେ ପୂର୍ବରୁ ପୋଲିସକୁ ଅବଗତ କରାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ହୋଇଛି । ଏହା ସତ୍ତ୍ୱେ ତଦନ୍ତ ବାଟବଣା ହେଲା । ଶେଷରେ ମହିଳା କନେଷ୍ଟବଳ ଆଖି ବୁଜିଲେ । ମହିଳାଙ୍କ ସୁରକ୍ଷା ନେଇ ଗୃହ ବିଭାଗ ଓ ପୋଲିସ ଯଦି ତାଙ୍କ କାର୍ଯ୍ୟଶୈଳୀରେ ତୁରନ୍ତ କୌଣସି ପରିବର୍ତ୍ତନ ନଆଣନ୍ତି ତେବେ ଆଗକୁ ଆହୁରି ଅନେକ ଶୁଭମିତ୍ରାଙ୍କୁ ପରିବାର ଲୋକେ ହରାଇବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ପୂର୍ବରୁ ଗୋପାଳପୁର ଓ ବାଲିହରଚଣ୍ଡୀ ଭଳି ପର୍ଯ୍ୟଟନ ସ୍ଥଳୀରେ ଗଣଦୁଷ୍କର୍ମ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଏବେ ପୋଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ନିଖୋଜ ହେଲେ ଏବଂ ୧୦ ଦିନ ପରେ ମିଳିଲା ମୃତଦେହ । ଗୃହ ବିଭାଗ ତୁରନ୍ତ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ନିତ୍ୟାନ୍ତ ଆବଶ୍ୟକ ବୋଲି ନବୀନ ଏକ୍ସ ରେ ଲେଖିଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଡିସିପି ଟ୍ରାଫିକ୍ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କନେଷ୍ଟବଳ ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟି ସାରି ଘରକୁ ଫେରିନଥିଲେ । ତାଙ୍କ ମାଆ ୭ ତାରିଖ ଦିନ ପୋଲିସରେ ବିଧିବଦ୍ଧ ଅଭିଯୋଗ କରିଥିଲେ। ଆଜି ତାଙ୍କ ମୃତ ଦେହ ପୋତା ହୋଇଥିବା ଅବସ୍ଥାରେ ଘଟଗାଁ ନିକଟରୁ ମିଳିଛି । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳ ଦୀପକ ବାବଦରେ ଜାଣିବାକୁ ପାଇଥିଲା । ତାକୁ ମାରାଥନ ଜେରା କରିବା ପରେ ସେ ପୋଲିସ ଆଗରେ ସବୁ ସତ ମାନିଥିଲା । ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝର I ଆଜି ସିନ ରିକ୍ରିଏସନ ସମୟରେ ଶୁଭମିତ୍ରାଙ୍କ ଗଳିତ ମୃତଦେହ ଘଟଗାଁ ସ୍ଥିତ ଏକ ଜଙ୍ଗଲ ଭିତର ମାଟିତଳୁ ଉଦ୍ଧାର ହୋଇଛି ।

Comments are closed.