ନୂଆଦିଲ୍ଲୀ: ପୁଣି ଏକାଠି ହେବେ କି ପୁରୁଣା ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମାଲିକ ତଥା ବ୍ୟବସାୟୀ ଏଲନ୍ ମସ୍କ?, ଫେରିବ ଟ୍ରମ୍ପ-ମସ୍କ ଯୋଡି? । କାରଣ ପ୍ରାୟ ତିନି ମାସ ଧରି ପରସ୍ପର ବିରୋଧରେ ସ୍ବର ଶାଣିତ କରିଥିବା ଏହି ଦୁଇ ପୂର୍ବତନ ବନ୍ଧୁ ଏବେ ଏକାଠି ନଜର ଆସିଛନ୍ତି । ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ କୁ ନେଇ ପରସ୍ପର ଠାରୁ ଦୂରେଇ ଥିବା ବ୍ୟବସାୟୀ ଏଲୋନ୍ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସହ ଦେଖାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ପୂର୍ବତନ ପ୍ରଥମ ବନ୍ଧୁ ଏଲନ ମସ୍କ, ରବିବାର ଦିନ ଦକ୍ଷିଣପନ୍ଥୀ ନେତା ଚାର୍ଲି କିର୍କଙ୍କ ସ୍ମୃତିସଭାରେ ପୁଣି ଏକାଠି ହୋଇଥିଲେ। ଟ୍ରମ୍ପଙ୍କୁ ଆରିଜୋନାର ଗ୍ଲେଣ୍ଡେଲର ଏକ ଷ୍ଟାଡିୟମରେ କୋଟିପତି ମସ୍କଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା ଏବଂ ପରସ୍ପର କିଛି କଥା ହେଉଥିବାର ମଧ୍ୟ ଦୃଶ୍ୟ ରହିଥିଲା । ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ବିବାଦ ପରେ ଏହା ଉଭୟଙ୍କର ପ୍ରଥମ ସାକ୍ଷାତକାର । ଯାହା ଏବେ ଦୁହିଁଙ୍କ ପୁନର୍ବାର ମିଳନ ନେଇ ଚର୍ଚ୍ଚା ବଢାଇଛି ।
ମସ୍କ ଲେଖିଲେ ‘ଚାର୍ଲି କିର୍କଙ୍କ ପାଇଁ…’
ରବିବାର ଚାର୍ଲି କିର୍କଙ୍କ ସ୍ମୃତିରେ ଆମେରିକାର ଆରିଜୋନାର ଗ୍ଲେଣ୍ଡେଲର ଷ୍ଟେଟ୍ ଫାର୍ମ ଷ୍ଟାଡିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଚାର୍ଲି କିର୍କ ଟର୍ଣ୍ଣିଂ ପଏଣ୍ଟ ୟୁଏସଏର ପ୍ରତିଷ୍ଠାତା ଥିଲେ ଏବଂ ତାଙ୍କୁ ସେପ୍ଟେମ୍ବର ୧୦ ତାରିଖରେ ଉଟାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗୁଳି କରି ହତ୍ୟା କରାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଏଲୋନ୍ ମସ୍କ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠି ଟ୍ରମ୍ପଙ୍କ ମସ୍କ ଏକାସାଙ୍ଗରେ ବସିଥିବାର ଭିଡିଓ ଭାଇରାଲ ହେଉଛି । ଭାଇରାଲ୍ ଭିଡିଓରେ, ମସ୍କ ଟ୍ରମ୍ପଙ୍କ ପାଖରେ ବସିଥିବା ଦେଖାଯାଇଛି। ଟ୍ରମ୍ପ ନିକଟରେ ବସିଥିବା ଜଣେ ବ୍ୟକ୍ତିଙ୍କ ସହିତ ମସ୍କଙ୍କୁ ପରିଚୟ କରାଇ ଦେଉଥିବା ଦେଖାଯାଉଛି। ଟ୍ରମ୍ପ ମସ୍କଙ୍କୁ ଇଙ୍ଗିତ କରି ସେହି ବ୍ୟକ୍ତିଙ୍କୁ ସଂକ୍ଷିପ୍ତ ଭାବରେ କଥା ହୋଇଥିଲେ। ପରେ, ତିନିଜଣ ହସି ଉଠିଥିଲେ। କିଛି ସମୟ କଥାବାର୍ତ୍ତା କରିବା ପରେ, ସେମାନେ ତାଳି ମାରିଥିଲେ ଏବଂ ଉଭୟଙ୍କ ସହ ହାତ ମିଳାଇଥିଲେ। ପରେ ମସ୍କ ଟ୍ରମ୍ପଙ୍କୁ ବିଦାୟ ଦେଇ ଚାଲି ଯାଇଥିଲେ । ସେହି ମୁହୂର୍ତ୍ତର ଏକ ଫଟୋ ମଧ୍ୟ ନିଜ ଏକ୍ସରେ ସେୟାର କରିଛନ୍ତି ଏଲନ ମସ୍କ । ଯେଉଁଥିରେ ମସ୍କ ଏବଂ ଟ୍ରମ୍ପ ପରସ୍ପର ସହ ବାର୍ତ୍ତାଳାପରେ ବ୍ୟସ୍ତ ଥିବା ବେଳେ ଏହାର କ୍ୟାପସନ ରହିଛି “ଚାର୍ଲିଙ୍କ ପାଇଁ।” ଯାହାର ପରେ ପରେ ହ୍ବାଇଟ୍ ହାଉସ୍ ବି ସମାନ କ୍ୟାପସନ୍ ଦେଇ ଟ୍ରମ୍ପଙ୍କ ସହ ସାକ୍ଷାତକାରର ଫଟୋ ସେୟାର କରିଛି ।
ମସ୍କ-ଟ୍ରମ୍ପ ବ୍ରେକ୍ ଅପ୍…
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ଏବଂ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା। ଟ୍ରମ୍ପ୍ଙ୍କ ରାଷ୍ଟ୍ରପତି ପ୍ରଚାର ପାଇଁ ମସ୍କ ୨୭୦ ନିୟୁତ ଡଲାରରୁ ଅଧିକ ଦାନ କରିଥିଲେ, ରିପବ୍ଲିକାନ୍ ପାଇଁ ପ୍ରମୁଖ ଯୋଦ୍ଧା ସାଜିଥିଲେ ମସ୍କ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ, ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗ (DOGE)ର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ ଟ୍ରମ୍ପ । ତା’ପରେ ଟ୍ରମ୍ପ ବିଗ୍ ବିୟୁଟିଫୁଲ୍ ବିଲ୍ ଆଗତ କରିଥିଲେ, ଯାହାକୁ ମସ୍କ ବିରୋଧ କରିଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ଫାଟ ଆରମ୍ଭ ହୋଇଥିଲା। ପରେ DOGE ରୁ ବିଦାୟ ନେଇଥିଲେ ମସ୍କ । ତାପରେ ଉଭୟଙ୍କ ମଧ୍ୟରେ ଏକ ସାର୍ବଜନୀନବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏମିତିକି ବିବାଦ ପରେ, ମସ୍କ ନିଜର “ଆମେରିକା ଫାଷ୍ଟ” ପାର୍ଟି ଆରମ୍ଭ କରୁଛନ୍ତି ବୋଲି ଘୋଷଣା ବି କରିଥିଲେ । ତଥାପି ଏନେଇ କୌଣସି ପଦକ୍ଷେପ ସେ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ସେବେଠୁ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହି ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଟେକ୍ ଜିଆଣ୍ଟଙ୍କ ସହ ଏକ ରାତ୍ରି ଭୋଜ କରିଥିବା ବେଳେ ଏଥିରେ ମସ୍କ ଉପସ୍ଥିତ ନଥିଲେ ।
Comments are closed.