ପଂଚକୁଲା: ଚଣ୍ଡିଗଡ ପଂଚକୁଲାରେ ଅଭାବନୀୟ ଘଟଣା । ସେକ୍ଟର ୨୦ରେ ଥିବା ସଂସ୍କୃତି ମଡେଲ ସ୍କୁଲରେ କେଜି ଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ର ତାଙ୍କ ଉପରକୁ ପଥର ଫିଙ୍ଗିବା ସହ ମାଟି ଫୁଲଦାନି ଫିଙ୍ଗି ମାରିଥିବା ଅଭଯୋଗ ହୋଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ସ୍କୁଲ ପରିସରରେ ପିଲାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ସମ୍ପୃକ୍ତ ଛାତ୍ରୀଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସେକ୍ଟର ୬ରେ ଥିବା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେହ ଅଧିକ ଅସୁସ୍ଥ ହେବାରୁ ଚଣ୍ଡିଗଡର ପିଜିଏଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଛୋଟ ଝିଅଟିକୁ ପ୍ରଥମେ ପଥର ଫିଙ୍ଗିଥିଲା ତୃତୀୟ ଶ୍ରେଣୀର ଛାତ୍ର । ପରେ ମାଟି ଫୁଲଦାନୀରେ ପିଟିଥିଲା । ଏତେମାଡରେ ଛୋଟ ଝିଅଟି ବେହୋସ ହେଲା ପରେ ବି ପାଥର ତା ଉପରକୁ ଫିଙ୍ଗିବା ସହ ବେହୋସ ଅବସ୍ଥାରେ କିଛି ଦୂର ଘୋଷାଡି ଆଣିଥିଲା ତାପରେ କାହାକୁ କିଛି ନଜଣାଇ ଗୁରୁତର ଅବସ୍ଥାରେ ଝିଅଟିକୁ ଛାଡି ପଳାଇଥିଲା ।
ସ୍କୁଲ ପରିସରରେ କ୍ଲାସରୁମରେ ଘଟିଛି ଏପରି ଅମାନବୀୟ କାଣ୍ଡ । ଯାହାକୁ ଦେଖିବା ପରେ ସ୍କୁଲ ପରିସରରେ ଛୋଟ ପିଲା କେତେ ସୁରକ୍ଷିତ ତାକୁ ନେଇ ଚିନ୍ତା ବଢିଛି । ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରାଯାଉଛି । କେମିତି ଓ କେଉଁ ପରସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଚାଲିଛି ଜେରା । ତୃତୀୟ ଶ୍ରେଣୀ ଛାତ୍ରର ବାପା ମାଙ୍କୁ ମଧ୍ୟ ପଚରାଉଚରା ହେଉଛି । ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ । ଏସବୁ ଘଟଣା ସ୍କୁଲ ପରିସରରେ ଘଟିଥିବାରୁ ସ୍କୁଲ ଏଥିପାଇଁ ଦାୟୀ ବୋଲି ପୋଲିସ କହିଛି । ବିଶେଷକରି କେଜି ପିଲାଙ୍କ ଦାୟିତ୍ୱ ଭଲଭାବରେ ସମ୍ପାଦନ କରିବା ସ୍କୁଲର ଦାୟିତ୍ୱ ବୋଲି ପୋଲିସ କହିଛି ।

