ଭୁବନେଶ୍ୱର: ସେପ୍ଟେମ୍ବର ୨୦ରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଦାରୁଠେଙ୍ଗା ନିକଟବର୍ତ୍ତୀ ଚନ୍ଦକା-ବାରଙ୍ଗ ରୋଡରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।
ତେବେ ସମସ୍ତ ଚାରି ଜଣ ଅଭିଯୁକ୍ତ ଗଜପତି ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ୩୭ ବର୍ଷୀୟ ଏନ ଦିଲୀପ କୁମାର ହୋଇଥିବା ବେଳେ ଅନ୍ୟ ଜଣେ ୫୬ ବର୍ଷୀୟ ରମେଶ ଚନ୍ଦ୍ର ବେହେରା, ୩୦ ବର୍ଷୀୟ ଦୀପକ କୁମାର ସାହୁକାର, ୫୦ ବର୍ଷୀୟ ରବୀନ୍ଦ୍ର ବେହେରା ବୋଲି ଜଣାପଡ଼ିଛି। ସେମାନଙ୍କୁ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଖୋର୍ଦ୍ଧା ଜିଲ୍ଲା ଅରଙ୍ଗା ଗ୍ରାମର ୩୨ ବର୍ଷୀୟ ବିଦ୍ୟାଧର ସାହୁ ପ୍ରାୟ ୧.୫ କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା।
ବିଦ୍ୟାଧର ଏକ ଅନଲାଇନ୍ କ୍ୟାବ୍ ସେବା ସଂସ୍ଥାର ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ ଓ ଏଥିସହିତ ସହରର ଏକ ଜବ କନସଲଟାଣ୍ଟ ସଂସ୍ଥାରେ କାମ କରୁଥିବା ଜଣେ ମହିଳା ଜ୍ୟୋତ୍ସ୍ନା ରାଣୀ ଖୁଣ୍ଟିଆଙ୍କ ସହଯୋଗୀ ମଧ୍ୟ ଥିଲେ। ତେବେ ବିଦ୍ୟାଧର ଆଶାୟୀ ପ୍ରାର୍ଥୀ ମାନଙ୍କ ଠାରୁ ଟଙ୍କା ଓ ପ୍ରମାଣ ପତ୍ର ସଂଗ୍ରହ କରୁଥିଲେ। ଉଭୟଙ୍କ ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଠକେଇ ଅଭିଯୋଗ ରହିଛି।
ସେପ୍ଟେମ୍ବର ୧୫ ତାରିଖରେ ବିଦ୍ୟାଧରଙ୍କ ଅପହରଣ ପରଠାରୁ ପୋଲିସ ଫେରାର୍ ଥିବା ‘ମାଡାମ୍’ ନାମକ ମହିଳାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ତେବେ ଅପହରଣକାରୀମାନେ କ୍ୟାବ୍ ଡ୍ରାଇଭରଙ୍କୁ ପ୍ରଥମେ ଯାଜପୁର ନେଇ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ୨.୪ କୋଟି ଟଙ୍କା ଦାବି କରିଥିଲେ ଓ ଟଙ୍କା ଦେଲେ ସେମାନେ ତାଙ୍କ ସ୍ଵାମୀ ଙ୍କୁ କୌଣସି କ୍ଷତି ପହଞ୍ଚାଇବା ନାହିଁ ବୋଲି ମଧ୍ୟ କହିଥିଲେ। କିନ୍ତୁ ବିଦ୍ୟାଧରଙ୍କୁ ଯାଜପୁରର ଯେଉଁ ଘରେ ବନ୍ଦୀ କରି ରଖା ଯାଇଥିଲା ସେଠାରେ ଆତ୍ମହତ୍ୟା କରିଦେଇଥିଲେ। ପରେ ଅପହରଣକାରୀ ମାନେ ଏହାକୁ ଏକ ହତ୍ୟା ରୂପ ଦେବା ପାଇଁ ଦାରୁଠେଙ୍ଗା ନିକଟରେ ତାଙ୍କ କ୍ୟାବକୁ ଛାଡି ଦେଇଥିଲେ।
ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା। ବନ୍ଧକ ରଖାଯାଇଥିବା ସମୟରେ ବିଦ୍ୟାଧରଙ୍କୁ ଠକେଇ ମାମଲା ବିଷୟରେ ନିରନ୍ତର ପଚରାଉଚୁରା କରାଯାଉଥିବାରୁ ସେ ସେପ୍ଟେମ୍ବର ୧୯ ତାରିଖରେ ଏକ ଗାମୁଛା ବ୍ୟବହାର କରି ଆତ୍ମହତ୍ୟା କରିଥିବା ନେଇ ଅଭିଯୁକ୍ତ କହିଥିଲେ।
ତେବେ ତଦନ୍ତ ସମୟରେ ପୋଲିସ କୁ ଚାକିରି ଆଶାୟୀଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର, ବିଭିନ୍ନ ସରକାରୀ/ବେସରକାରୀ ସଂଗଠନର ୨୬ଟି ରବର ଷ୍ଟାମ୍ପ ଏବଂ ଅଭିଯୁକ୍ତଙ୍କ ମୋବାଇଲ୍ ହ୍ୟାଣ୍ଡସେଟ ସହ ମୃତକଙ୍କ କାର ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ଜଣାପଡ଼ିଛି।
Comments are closed.