Latest Odisha News

BREAKING NEWS

୨୬ରୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ୨୬ ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ଥର କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଦିନିଆ ସମାବର୍ତ୍ତନ ହେବ। ଏଥିରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା ଅଭିଭାବକ ସାମିଲ ହେବେ।

ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟ୍ୟୁନିସିଆର ନୋବେଲ ଶାନ୍ତି ପୁରସ୍କାର ବିଜେତା ଉଇଦେଦ୍ ବୋଚାମାଉଇ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‍ ଜଷ୍ଟିସ୍‍ର ବିଚାରପତି ନ୍ୟାୟମୂର୍ତ୍ତି ଏ. ଅହମ୍ମଦ ୟୁସୁଫ୍‍ ଓ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରିଙ୍କ ସମେତ ପୃଥିବୀର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ।

ସମାବର୍ତ୍ତନ ଅବସରରେ ଗୁଆଟେମାଲା ଗଣରାଜ୍ୟ କଂଗ୍ରେସ ସଦସ୍ୟ ଡ ଫିଡେଲ ରେୟସ୍ ଲି, ୱକହର୍ଡ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ଆଡଭୋକେଟ୍ ଡ ହୁଜୈଫା ଖୋରାକିୱାଲା, ଜର୍ମାନୀ ୟୁଥ୍ ଫର୍‍ ଅଣ୍ଡରଷ୍ଟାଣ୍ଡିଂ ଫାଉଣ୍ଡେସନର ପ୍ରତିଷ୍ଠାତା ନର୍ବର୍ଟ ସାଉର, ଲାଲଚନ୍ଦ ଗ୍ରୁପ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହାନ୍‍ସ, କମ୍ପିଟିସନ ସକସେସ୍‍ ରିଭ୍ୟୁର ଅଧ୍ୟକ୍ଷ ତଥା ସମ୍ପାଦକ ଏସ୍‌. କେ. ସଚଦେବା, ପ୍ରସିଦ୍ଧ ଚଳଚ୍ଚିତ୍ର ଓ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ପ୍ରମୁଖଙ୍କୁ ସମାଜ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ।

ଚଳିତ ବର୍ଷ ୭୨୩୫ ସ୍ନାତକ ଛାତ୍ରଛାତ୍ରୀ, ୨୦୩୪ ସ୍ନାତକୋତ୍ତର ଏବଂ ୧୯୫ ପିଏଚଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବର ପ୍ରଥମ ଦିନରେ ମେଡିକାଲ୍‍ ସାଇନସେସ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବାକୁ ଥିବାବେଳେ ଦ୍ୱିତୀୟ ଦିନ ଆଇନ୍‍ ଓ ମ୍ୟାନେଜମେଣ୍ଟ ଏବଂ ତୃତୀୟ ଦିନରେ ଟେକ୍ନୋଲୋଜି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସମାବର୍ତ୍ତନ ଉତ୍ସବରେ ତିନି ଦିନ ଧରି ପ୍ରମୁଖ ଅତିଥି ଭାବରେ ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତି ବିଶେଷ, ଆଇନ ବିଷାରଦ, ଶିକ୍ଷାବିତ୍‌, ନୋବେଲ ପୁରସ୍କାର ବିଜେତା ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରୁ ଯାଇ ବୃହତ୍ତର ଜଗତରେ ପ୍ରବେଶ କରିବେ ଏବଂ କିଟ୍‍ର ମୂଲ୍ୟବୋଧକୁ ସେମାନଙ୍କ ଜୀବନର ଧ୍ୟେୟ କରିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ସଫଳତା, ସ୍ୱୀକୃତ, ଉତ୍ସବ, ଆନନ୍ଦ, ଉଲ୍ଲାସ ଓ ପୁରୋଦୃଷ୍ଟିର ଝଲକ ଦେଖିବାକୁ ମିଳିବ।

 

Comments are closed.