Latest Odisha News

BREAKING NEWS

ସୁପର ଓଭରରେ ଜିତିଲା ଭାରତ, ବେକାର ଗଲା ନିସାଙ୍କାଙ୍କ ଶତକ

ମୁମ୍ବାଇ: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି। ସୁପର-୪ର ଶେଷ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ମଧ୍ୟ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୨ ରନ୍ କରିଥିଲା। ଶ୍ରୀଲଙ୍କା ପାଇଁ ପଥୁମ ନିସାଙ୍କା ୫୮ ବଲରେ ୧୦୭ ରନ୍ କରି ଶତକ ହାସଲ କରିଥିଲେ। ମ୍ୟାଚ ଟାଇ ହେବା ପରେ ଏସିଆ କପ୍ ୨୦୨୫ରେ ପ୍ରଥମ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ଶ୍ରୀଲଙ୍କା ମାତ୍ର ୨ ରନ୍ କରିପାରିଥିଲା। ଭାରତ ମାତ୍ର ଗୋଟିଏ ବଲରେ ୩ ରନର ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଛି। ଏହା ସହିତ ଟିମ୍ ଇଣ୍ଡିଆ ୨୦୨୫ ଏସିଆ କପରେ ଅପରାଜେୟ ରହିଛି।

ସୁପର ଓଭରରେ ଭାରତ ପାଇଁ ଅର୍ଶଦୀପ ସିଂ ବୋଲିଂ କରିଥିଲେ। ଶ୍ରୀଲଙ୍କା ପାଇଁ କୁସଲ ପେରେରା ଓ ଦୁସାନ ଶାନାକା ବ୍ୟାଟିଂ ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଶତକବୀର ପଥୁମ ନିସାଙ୍କାଙ୍କୁ ସୁପର ଓଭରରେ ସାମିଲ କରାଯାଇ ନଥିଲା। ତୃତୀୟ ବ୍ୟାଟର ଥିଲେ କୁସଲ ମେଣ୍ଡିସ। ଅର୍ଶଦୀପ ପ୍ରଥମ ବଲରେ କୁସଲ ପେରେରାଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ବଲରେ ଗୋଟିଏ ରନ ମିଳିଥିଲା। ତୃତୀୟ ବଲ ଡଟ ଥିଲା। ଚତୁର୍ଥ ବଲରେ ଶ୍ରୀଲଙ୍କା ଦ୍ୱିତୀୟ ଓ ଶେଷ ଓ୍ଵିକେଟ ହରାଇଥିଲା।

ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ ବ୍ୟାଟିଂ ଆରମ୍ଭ କରିଥିଲେ। ଶ୍ରୀଲଙ୍କା ତରଫରୁ ବାନିନ୍ଦୁ ହସାରଙ୍ଗା ବୋଲିଂ କରିଥିଲେ। ଭାରତ ପ୍ରଥମ ବଲରେ ହିଁ ୩ ରନ ନେଇ ମ୍ୟାଚ ଜିତିଥିଲା। ସୂର୍ଯ୍ୟକୁମାର ଭାରତ ପାଇଁ ବିଜୟୀ ସଟ ଖେଳିଥିଲେ।

Comments are closed.