ଭୁବନେଶ୍ୱର: ପାର୍ବଣ ଭିଜିବ ସାରା ଓଡିଶ। ଆସିଲାଣି ଆଉ ଗୋଟିଏ ଲଘୁଚାପ। ଏହା ଅବପାତ ହୋଇ ପ୍ରବଳ ବର୍ଷା କରିପାରେ। ବେଶି ବର୍ଷିବ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ଘନୀଭୂତ ହୋଇ ଅକ୍ଟୋବର ୨ ସକାଳ ସୁଦ୍ଧା ଅବପାତ ରୂପ ନେବ। ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ର ଉପକୂଳରେ ପ୍ରବେଶ କରିବ।
ଆସନ୍ତାକାଲି ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧାମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ନବରଙ୍କପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୪ ତାରିଖ ଯାଏ ବର୍ଷା ଲାଗି ରହିବ।
ସେହିପରି ଆଜି ସକାଳ ୮ଟା ୩୦ମିନିଟ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ୟେଲୋ ଆଲର୍ଟ ଦିଆଯାଇଛି । ମତ୍ସଜୀବୀଙ୍କୁ ୧ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
Comments are closed.