ଦାର୍ଜିଲିଂ: ଉତ୍ତର ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ଜଳପାଇଗୁଡ଼ି ଜିଲ୍ଲାରେ ହୋଇଥିବା ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଥିବା ନେଇ ସୂଚନା ମିଳିଛି। ଏଥିସହିତ ଅନେକ ଲୋକ ଆହତ ହେବା ସହ ଅନେକ ଭଗ୍ନାବଶେଷ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି।
ଏହି ଭୂସ୍ଖଳନ ପରେ ସିଲିଗୁଡ଼ିକୁ ରାସ୍ତା ବିଚ୍ଛିନ୍ନ ହୋଇଯାଇଥିବାରୁ ଶହ ଶହ ପର୍ଯ୍ୟଟକ ମଧ୍ୟ ସେଠାରେ ଫସି ରହିଛନ୍ତି। ତେବେ NDRF, SDRF ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ସେଠାରେ ଲଗାତାର ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ନେଇ ଅଧିକାରୀ ମାନେ କହିଛନ୍ତି। ଅପରପକ୍ଷରେ ଉଦ୍ଧାରକାରୀ ଦଳ ପର୍ଯ୍ୟଟକମାନଙ୍କ ପାଖରେ ନ ପହଞ୍ଚିଲା ପର୍ଯ୍ୟନ୍ତ ହୋଟେଲ କିମ୍ବା ହୋମଷ୍ଟେରେ ରହିବାକୁ ଉତ୍ତର ବଙ୍ଗ ବିକାଶ ମନ୍ତ୍ରୀ ଉଦୟନ ଗୁହା କହିଛନ୍ତି।
ଗତ ୧୨ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଅଧିକ ବର୍ଷା ହେବା ଦ୍ଵାରା ଏହି ଭୂସ୍ଖଳନ ହୋଇଛି। ଯାହାଫଳରେ ଦାର୍ଜିଲିଂ ପାହାଡ଼ ଏବଂ ତରାଇ ଅଞ୍ଚଳ ଅତ୍ୟଧିକ ପ୍ରଭାବିତ ହୋଇଛି। ତେବେ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାର୍ଜିଲିଂର ମିରିକ, ସୁଖିଆପୋଖରୀ ଏବଂ ଜୋରବଙ୍ଗଲୋ ଏବଂ ଜଳପାଇଗୁଡ଼ି ଜିଲ୍ଲାର ନାଗରାକଟା ଅନ୍ତର୍ଭୁକ୍ତ।
NDRF ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ୪୦ରୁ ଅଧିକ ସ୍ଥାନରେ ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି। ଭଗ୍ନାବଶେଷ ସଫା କରିବା ପାଇଁ ଉପକରଣ ବ୍ୟବହାର କରାଯାଉଛି ଓ ନିଖୋଜ ହୋଇଥିବା ଲୋକଙ୍କୁ ଖୋଜିବା ପାଇଁ କିଛି ଦିନ ଲାଗିପାରେ।ଏଥିସହିତ ରାସ୍ତା ଗୁଡ଼ିକର ସଂଯୋଗକୁ ପୁନଃସ୍ଥାପିତ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି। ତେବେ କିଛି ଅଞ୍ଚଳରେ ରିଲିଫ୍ କ୍ୟାମ୍ପ ସ୍ଥାପନ କରାଯାଇ ସେଠାରୁ ଖାଦ୍ୟ, ପାଣି, ଔଷଧ ଏବଂ କମ୍ବଳ ବଣ୍ଟନ କରାଯାଉଛି।
Comments are closed.