Latest Odisha News

BREAKING NEWS

ଏସିଆର ସବୁଠୁ ବଡ଼ କନେକ୍ଟିିଭ ହବ୍ ହେବ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏନଏମଆଇଏ)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ପ୍ରାୟ ୧୯୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ଏଥିସହିତ  ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ଅଟେ। ଯାହାକି ସରକାରୀ-ଘରୋଇ ସହଭାଗୀତା (ପିପିପି) ଅଧୀନରେ ବିକଶିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଏନଏମଆଇଏ ବିମାନବନ୍ଦର ନିର୍ମିତ ହେବା ପରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (ସିଏସଏମଆଇଏ)ରେ ଭିଡ଼ ହ୍ରାସ ହେବା ସହ ମୁମ୍ବାଇକୁ ବିଶ୍ୱସ୍ତରୀୟ ବହୁ-ବିମାନବନ୍ଦର ଭାବରେ ପରିଚୟ ସୃଷ୍ଟି କରିବାରେ ସହାୟ ହୋଇପାରିବ।

ଆସନ୍ତା ଡିସେମ୍ବର ମାସରୁ ଏଠାରେ ଉଡାଣ ଆରମ୍ଭ ହେବା ନେଇ ଯୋଜନା ଚାଲିଛି। ଏଥିସହିତ ଅକ୍ଟୋବର ଶେଷ ସୁଦ୍ଧା ଟିକେଟ୍ ବିକ୍ରି ଆରମ୍ଭ ହେବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଇଣ୍ଡିଗୋ, ଆକାସା ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହି ବିମାନବନ୍ଦରରୁ ବିମାନ ଉଡାଣ କରିବେ।

ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ବିମାନବନ୍ଦର ଭାବରେ ନାମିତ ହୋଇଛି। ଯେଉଁଥିରେ ଯାନବାହନ ପାର୍କିଂ ସ୍ଲଟର ପ୍ରି-ବୁକିଂ, ଅନଲାଇନ୍ ବ୍ୟାଗେଜ୍ ଡ୍ରପ୍ ବୁକିଂ ଏବଂ ଇମିଗ୍ରେସନ୍ ସେବା ଅନ୍ତର୍ଭୁକ୍ତ ରହିଛି। ଏପରିକି ଆପଣ ନିଜ ଫୋନରେ ଏକ ବାର୍ତ୍ତା ଦ୍ଵାରା ନିଜ ବ୍ୟାଗର ସ୍ଥିତି ବିଷୟରେ ସୂଚନା ପାଇପାରିବେ ବୋଲି ଆଦାନୀ ବିମାନବନ୍ଦର ହୋଲ୍ଡିଂସ୍ ଲିମିଟେଡର ସିଇଓ ଅରୁଣ ବଂଶଲ ସୂଚନା ଦେଇଛନ୍ତି।

ବିମାନବନ୍ଦରରେ ଘରୋଇ ଏବଂ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୩୭୦୦ ମିଟର ଲମ୍ବା ରନୱେ ସହିତ ଏକ ଆଧୁନିକ ଯାତ୍ରୀ ଟର୍ମିନାଲ ଏବଂ ବଡ଼ ବାଣିଜ୍ୟିକ ବିମାନ ପରିଚାଳନା ପାଇଁ ଏକ ଉନ୍ନତ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ତେବେ ଏହି ବିମାନବନ୍ଦରଟି ଜବାହରଲାଲ ନେହେରୁ ବନ୍ଦର ଟ୍ରଷ୍ଟ (JNPT)ରୁ ୧୪ କିଲୋମିଟର, ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ (MIDC) ତାଲୋଜା ଶିଳ୍ପ କ୍ଷେତ୍ରରୁ ୨୨ କିଲୋମିଟର, ମୁମ୍ବାଇ ବନ୍ଦର ଟ୍ରଷ୍ଟରୁ ୩୫ କିଲୋମିଟର, ଥାନେରୁ ୩୨ କିଲୋମିଟର ଏବଂ ଭିୱାଣ୍ଡିର ପାୱାରଲୁମ୍ ସହରରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।

 

Comments are closed.