ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାକୁ ସପ୍ତାହେ ପୁରିଥିଲେ ବି ପୋଲିସ ହାତ ଖାଲି ରହିଛି । ଏହା ଭିତରେ ଆଉ ୨ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏମାନଙ୍କ ନାମରେ ପୂର୍ବରୁ ହତ୍ୟା ମାମଲା ରହିଥିବାବେଳେ, କୁଖ୍ୟାତ ଅପରାଧୀ ବୋଲି କୁହାଯାଉଛି । ଉଭୟଙ୍କ ପରିଚୟ ଦିଲ୍ଲୀପ ଓ ସିମ୍ପୁ ବୋଲି ଜଣା ପଡିଛି । ଉଭୟଙ୍କୁ ପୋଲିସ ରିଜର୍ଭ ବାରାକରେ ରଖି ମାରାଥନ ଜେରା କରୁଥିବା ସୂଚନା ରହିଛି ।
ଏହାସହ ପୀତବାସଙ୍କ ପରିବାର ଲୋକ ଓ କିଛି ବନ୍ଧୁଙ୍କୁ ମଧ୍ୟ ପୋଲିସ ଏ ଭିତରେ ପଚରାଉଚରା କରିଛି । ସେହିପରି ପୀତବାସଙ୍କ କଲ୍ ଡିଟେଲସ ରିପୋର୍ଟରୁ ସନ୍ଦେହଘେରକୁ ଆସିଛନ୍ତି ୨ ମହିଳା । ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ିଛି ପୋଲିସ । ନିୟମିତ ଭାବେ ସେମାନେ ପୀତବାସଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ତେବେ ସେମାନେ କିଏ ଓ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି କଣ ସେନେଇ କୌଣସି ସୂଚନା ନାହିଁ ।
ସୂଚନାଯୋଗ୍ୟ, ବୈଦ୍ୟନାଥପୁର ଥାନା ବ୍ରହ୍ମାନଗରଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ।ପିତବାସ ପୂର୍ବରୁ କଂଗ୍ରେସ ଦଳରେ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ସାମିଲ ହୋଇଥିଲେ । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି ।
Comments are closed.