ଭୁବନେଶ୍ୱର:ବିଏମ୍ ସି (ଭୁବନେଶ୍ୱର ମହାନଗର ନିଗମ) ଅଞ୍ଚଳରେ ୪୭,୧୨୬ଜଣ ବୁଲା କୁକୁର ଥିବା ନେଇ ସୂଚନା ଦିଆଯାଇଛି। ସେପ୍ଟେମ୍ଵର ୧୮ ରୁ ୨୫ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ବୁଲା କୁକୁରଙ୍କ ଗଣନା କାର୍ଯ୍ୟ ହୋଇଥିଲା। ୬୭ଟି ୱାର୍ଡର ସମସ୍ତ ଗଳିକନ୍ଦିରେ ଭୋର୍ ୫ଟାରୁ ସକାଳ ୭ଟା ମଧ୍ୟରେ ଗଣନା କରାଯାଇଥିଲା। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ସଂପ୍ରତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୪୭ ହଜାର ୧୨୬ଟି ବୁଲା କୁକୁର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହଜାର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି ।
ଭୁବନେଶ୍ବରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ ଲକ୍ଷ ରହିଛି। ଜନ ସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ୱାର୍ଡରେ ବୁଲା କୁକୁରଙ୍କ ସଂଖ୍ୟା ହାରାହାରି ୭୦୩ ରହିଛି । ୨୩, ୭, ୪୯, ୬୫, ୪, ୯, ୫, ୫୬, ୪୩ ଓ ୬ ନମ୍ଵର ୱାର୍ଡରେ ସର୍ବାଧିକ ବୁଲା କୁକୁର ରହିଛନ୍ତି। ୨୩ ନମ୍ବର ୱାର୍ଡରେ ୧୭୦୩ କୁକୁର ଥିବା ବେଳେ ୬ ନମ୍ବର ୱାର୍ଡରେ ୧୦୬୨ ବୁଲା କୁକୁର ରହିଛନ୍ତି ।
ଭାରତ ସରକାରଙ୍କ ପଶୁ ସଂପଦ ଓ ଡାଏରୀ ବିଭାଗ ଦ୍ବାରା ଅନୁଷ୍ଠିତ ବିଂଶତମ ଜାତୀୟ ଓ ରାଜ୍ୟ ପଶୁ ଗଣନା ଅନୁଯାୟୀ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାରଠାରୁ ବୁଲା କୁକୁର ସଂଖ୍ୟା ଅଧିକା ରହିଛି। ଜାତୀୟ ହାର ପ୍ରତି ଏକ ହଜାର ଜନସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାରେ ଜନସଂଖ୍ୟାରେ ହାରାହାରି ୩୬ଟି ବୁଲା କୁକୁର ରହିଛନ୍ତି। ରାଜ୍ୟରେ ପ୍ରତି ହଜାରେ ଜନସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି।
Comments are closed.