ଭୁବନେଶ୍ୱର: ନଭେମ୍ବର ୧୧ରେ ହେବ ନୂଆପଡା ଉପନିର୍ବାଚନ । ସେଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଛି । ବିଜେଡି, ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଭୋଟରେ ଜିତିବା ପାଇଁ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ବିଜେପି ତରଫରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ମନସ୍ଥ କରିଥିଲା । ହେଲେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆ ପ୍ରାର୍ଥୀ ସନ୍ଧାନରେ ବିଜେଡି ରହିଛି । ବିଜେପି, ବିଜେଡି ଭୋଟ ଜିତିବା ପାଇଁ ଲଢେଇ ଆରମ୍ଭ କରିଥିବା ବେଳେ କଂଗ୍ରେସ ଭିନ୍ନ ରଣନୀତିରେ ରହିଛି । କଂଗ୍ରେସ ତରଫରୁ ଘାସିରାମ ମାଝୀ ଏଥର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରିଛନ୍ତି
୨୦୨୪ ନିର୍ବାଚନରେ କଣ ହୋଇଥିଲା
୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଭାବେ ରାଜେନ୍ଦ୍ର ଡୋଲକିଆ ସର୍ବାଧିକ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀଭାବେ ଘାସିରାମ ମାଝୀ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପିର ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ ପାଇଥିଲେ । ଏହି ତିନିଜଣଙ୍କ ବ୍ୟତୀତ କଂଗ୍ରେସର ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଥିଲେ । ଗତ ନିର୍ବାଚନରେ ୧ ଲକ୍ଷ ୮୩ ହଜାର ୭୦୩ ଜଣ ଭୋଟର ନିଜର ମତ ଦେଇଥିଲେ । ସେଥିରୁ ୧୦ ହଜାର ୮୮୧ ଜଣ ଭୋଟର ନୋଟାରେ ଭୋଟ ଦେଇଥିଲେ ।
ଘାସିରାମ କଂଗ୍ରେସରେ ମିଶିବାରୁ କଂଗ୍ରେସ ନିଜ ଭୋଟ ୬୫,୦୦୦ରୁ ଅଧିକ ହେବ ବୋଲି ଗଣିତ କରୁଛି । ଅପରପକ୍ଷରେ ବିଜେଡି ବ୍ୟାକଫୁଟରେ ଥିବାବେଳେ ଜୟ ଢୋଲକିଆଙ୍କୁ ସାମିଲ କରିବା ପରେ ବିଜେପିର କିଛି ଗୋଷ୍ଠୀ ଅସନ୍ତୁଷ୍ଟ ହୋଇପଡିଛନ୍ତି । ଉଭୟ ଦଳ ଗୋଳିଆ ପାଣିରେ ଥିବାରୁ କଂଗ୍ରେସ ଫାଇଦା ନେବାକୁ ଚେଷ୍ଟା କରୁଛି । ଜୟ ଢୋଲକିଆଙ୍କ ସହ ବିଜେଡିର କିଛି ନେତା ଓ କର୍ମୀ ବିଜେପି ଆଡକୁ ମୁହାଁଇବାରୁ ବିଜେପି କର୍ମୀ ମଧ୍ୟ ଅସନ୍ତୋଷରେ ରହିଛନ୍ତି । ଆଉ ଏହି ଭୋଟ ଯଦି କଂଗ୍ରେସ ଆଡକୁ ଆସେ ତେବେ କଂଗ୍ରେସ ଫାଇଦାରେ ରହିବା ଅନୁମାନ କରାଯାଉଛି ।
କଣ କରିବେ ନୂଆ ଭୋଟର
ଚଳିତ ଉପନିର୍ବାଚନରେ ନୂଆ ଭୋଟରମାନେ ମଧ୍ୟ ଭୋଟ ଦେବେ । ଯୁବପିଢୀଙ୍କୁ ନିଜ ଆଡକୁ ଆଣିବାକୁ ଫୋକସ କରୁଛି କଂଗ୍ରେସ । ବିଜେପିକୁ ହରାଇବା ପାଇଁ ବିଜେଡିର କିଛି ସମର୍ଥକ ଘାସିରାମଙ୍କୁ ଭୋଟ ଟ୍ରାନ୍ସଫର କରିପାରନ୍ତି । ଏହା ହେଲେ ନୂଆପଡାରେ ରୋଚକ ଲେଢେଇ ହୋଇପାରେ ।
Comments are closed.