Latest Odisha News

BREAKING NEWS

ନିଜ କିଡନୀ ଦେଇ ସ୍ତ୍ରୀର ଜୀବନ ବଞ୍ଚାଇଲେ ସ୍ୱାମୀ

ନୂଆଦିଲ୍ଲୀ: ଆଧୁନିକ ସମାଜରେ ପ୍ରକୃତ ପ୍ରେମ ପାଇବା ଏତେ ସହଜ ନୁହେଁ । ପ୍ରେମ ଭଲ ପାଇବା କାହାପାଇଁ କେମିତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର । ଆଜିକାଲିକା ଦୁନିଆରେ ସ୍ୱାର୍ଥପର ହୋଇ ପ୍ରତିଦିନ ହିଂସା ଘଟୁଛି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ସ୍ୱାମୀର ଜୀବନ ନେଉଛି । ବିବାହ ବିଛେଦ, ହତ୍ୟା, କଳି ଝଗଡା ଏତେ ବଢିଯାଇଛି ଯେ ଲୋକଙ୍କର ପ୍ରେମ ଭଲପାଇବା ଉପରେ ବିଶ୍ୱାସ କମିବାରେ ଲାଗିଛି । ହେଲେ ଆଜି ବି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯିଏ ପ୍ରେମ ପାଇଁ ସବୁକିଛି କରୁଛନ୍ତି । ବିବାହ ପରେ ମଧ୍ୟ କେହି କାହାଠାରୁ ଅଲଗା ନହୋଇ ନିଜ ଜୀବନ ବାଜି ଲଗାଇ ଦେଉଛନ୍ତି ।

ଉତ୍ତରପ୍ରଦେଶ ନୋଏଡାରେ ହୃଦୟ ଜିତିଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ନିଜ କିଡନୀ ଦେଇଛି । ବିବାହ ପରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ କରୱା ଚୌଥ ବ୍ରତ ରଖନ୍ତି । ସ୍ୱାମୀ ସବୁବେଳେ ସୁସ୍ଥ ଓ ଦୀର୍ଘାୟୁ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି । ହେଲେ ଏଠାରେ ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛି । କରୱା ଚୌଥ ଦିନ ନୋଏଡାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଜୀବନ ପାଇଁ ଏଭଳି କାମ କରିଛନ୍ତି । ୫୦ ବର୍ଷୀୟ ପୱନ ରାୱତ କରୱା ଚୌଥ ଦିନ ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କିଡନୀ ଦାନ କରିଛନ୍ତି । ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ପୱନ ରାୱତ ନିଜ ସ୍ତ୍ରୀକୁ ନିଜର ଅଙ୍ଗ ପ୍ରଦାନ କରିଛନ୍ତି ।

ମନୀଷା ୨୦୨୧ ମସିହାରେ କିଡନୀ ରୋଗରେ ପୀଡିତ ହୋଇଥିଲେ । କ୍ରମାଗତ ଚିକିତ୍ସା ସତ୍ୱେ ମଧ୍ୟ ଅବସ୍ଥା ସୁଧୁରିନଥିଲା । ଗତ ଏପ୍ରିଲ ମାସରେ ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଯାଇଥିଲା । ଜୁଲାଇରେ ତାଙ୍କୁ ୨ଥର ହାର୍ଟ ଆଟାକ ମଧ୍ୟ ହୋଇଥିଲା । ଏହି ଘଟଣା ପରେ ମନୀଷାଙ୍କ ଜୀବନ ବଞ୍ଚାଇବା ପାଇଁ କିଡନୀ ପ୍ରତିରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ । ମନୀଷାଙ୍କ ୬୮ ବର୍ଷୀୟା ମା ତାଙ୍କ କିଡନୀ ଦେବାକୁ ଇଛା ପ୍ରକାଶ କରିଥିଲେ । କିନ୍ତୁ ତାଙ୍କର ଅଧିକ ବୟସ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ କିଡନୀ ନେବାକୁ ଡାକ୍ତର ମନା କରିଥିଲେ । ଏହାପରେ ସ୍ୱାମୀ ପୱନ ନିଜ ସ୍ତ୍ରୀ ପାଇଁ ଆଗକୁ ବାହାରିଥିଲେ । ମନୀଷାଙ୍କ ଜୀବନ ମୋ ପାଇଁ ବହୁତ ମୂଲ୍ୟବାନ , ସେ ସାରା ଜୀବନ ବଞ୍ଚି ରହିବା ଦରକାର ବୋଲି ପୱନ କହିଥିଲେ । ଶେଷରେ ତାହାହିଁ ନିଷ୍ପତ୍ତି ହୋଇଥିଲା । ସ୍ତ୍ରୀ ପାଇଁ ଆଗକୁ ବାହାରି ନିଜ କିଡନୀ ପ୍ରଦାନ କରିଥିଲେ । କିଡନୀ ସଫଳରୂପେ ପ୍ରତ୍ୟାରୋପଣ ହେବା ପରେ ମନୀଷାଙ୍କ ଜୀବନ ବଞ୍ଚି ଯାଇଛି । ତେବେ ପୱନଙ୍କ ଏଭଳି ନିଷ୍ପତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସମସ୍ତେ ତାଙ୍କୁ ଭୂୟଂଶୀ ପ୍ରଂଶସା କରିଛନ୍ତି ।

Comments are closed.