ଭୁବନେଶ୍ୱର: କୁର୍ଣ୍ଣୁଲରେ ଚଳନ୍ତା ବସ୍ ରେ ଅଗ୍ନିକାଣ୍ଡ ଘଟି 25 ଯାତ୍ରୀଙ୍କ ଜୀବନ ଯିବାପରେ ଏବେ ଏହାକୁ ଗୁରୁତର ନେଇଛି ରାଜ୍ୟ ପରିବହନ ଓ ଅଗ୍ନିଶମ ବିଭାଗ । କିଭଳି ଏହି ବିପଦପୂର୍ଣ୍ଣ ଯାତ୍ରାକୁ ଏଡ଼ାଇ ହେବ, ଏଥିପାଇଁ ସ୍କୁଲ୍ ବସ୍ ଠାରୁ ଆରମ୍ଭ କରି ନାଇଟ୍ କୋଚ୍, ଏସି ବସ୍, ସ୍ଲିପର କୋଚ୍ ପର୍ଯ୍ୟନ୍ତ ସମସ୍ତ ବସ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।
ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜରିମାନା ଦେବା ସହ, ଦରକାର ପଡ଼ିଲେ ବସ୍ କୁ ଜବତ ମଧ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ପରିବହନ କମିସନର ଅମିତାଭ ଠାକୁର ।
ପୂର୍ବରୁ ମଧ୍ୟ ସରକାରୀ ନିୟମ ରହିଥିଲା ହେଲେ ଏହାକୁ କେହି ପାଳନ କରୁନଥିଲେ । ନା ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରୁଥିଲେ ନା ଏଥିପ୍ରତି କେହି ସଚେତନ ହଉଥିଲେ । ଆଉ ଏବେ ନିଦରୁ ଉଠିଛି ପରିବହନ ଓ ଅଗ୍ନିଶମ ବିଭାଗ । କେବଳ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିଲେ ହେବନାହିଁ। ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ। ବସ୍ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍ର ପ୍ରତ୍ୟେକ୍ କର୍ମଚାରୀ ଏ ସମ୍ପର୍କରେ ଜାଣିବା ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ପ୍ରତି ୩ ମାସରେ ଥରେ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଦିଆଯାଇଛି । ସରକାରୀ ବସ୍ ଗୁଡ଼ିକରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି ।
Comments are closed.