ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’ । ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’ ।
ଏବେ ଠାରୁ ‘ମୋନ୍ଥା’ ର ପ୍ରଭାବ ଓଡିଶାର ଅନେକ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ସହ ପବନ ମଧ୍ୟ ବୋହିଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଜି ଠାରୁ ଏହି ୧୧ଟି ଜିଲ୍ଲାରେ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।
ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ସେହିପରି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ୨୮ ଓ ୨୯ ତାରିଖ ଦୁଇ ଦିନ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି ।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇପାରେ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ । ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।
ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟ ଗୃହଗୁଡ଼ିକ ବ୍ୟବହାର କରାଯାଇପାରେ । ଡିଇଓମାନେ ଆବଶ୍ୟକ ସମୟରେ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ।
Comments are closed.