Latest Odisha News

BREAKING NEWS

Heavy Rain: ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ;ପାତ୍ରପୁର ବ୍ଲକ୍‌ ରେ ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ

ଗଞ୍ଜାମ: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଦୁର୍ଗମ ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଧସିଥିବାର ଖବର ଆସିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ବର୍ଷା ଯୋଗୁଁ ଧସିଲା ମାଟି ଅତଡା । ତାଡ଼କା ସାହି ଠାରୁ ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ଗ୍ରାମ ବୁଲାଣି ନିକଟରେ ମାଟି ଅତଡା ଧସି ପଡିଛି । ଫଳରେ ପାହାଡ ଉପରେ ଥିବା ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ ହୋଇଯାଇଛି । ପ୍ରଶାସନ ପହଞ୍ଚି ରାସ୍ତାରୁ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନାଥାଉକି ପାତ୍ରପୁରରେ ବ୍ଲକ୍‌ରେ ଜିଲ୍ଲାର ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି । ୧୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି କଳିଙ୍ଗା ଘାଟିରୁ ଖସିଲା ମାଟି ଅତଡା । କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥାନରେ ପ୍ରଖର ଜଳସ୍ରୋତ ଦେଖାଯିବା ସହ ଉପରୁ ମାଟି ଅତଡ଼ା ପଥର ଖସି ରାସ୍ତାଉପରେ ଗଦା ହୋଇଛି । କଳିଙ୍ଗା ଘାଟିରେ ଭୁସ୍ଖଳନ ଘାଟି ରାସ୍ତାରେ ଯାତାୟତ ବନ୍ଦ ହେବା ୪୫ଦିନ ବିତି ଗଲାଣି । ବର୍ଷା ପରେ ବର୍ଷା ରାସ୍ତା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ଆହୁରିମଧ୍ୟ ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନର ଚିତ୍ର ସାମ୍ନାକୁ ଆସୁଛି। ରାୟଗଡ଼ ବ୍ଳକ ଅନ୍ତର୍ଗତ ଏସ୍ କରଡାସିଂ ପଞ୍ଚାୟତର ବଣ୍ଡା ଓ ଖିଲିଙ୍ଗି ଅଞ୍ଚଳକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ଘାଟି ଉପରେ ଦୁଇଟି ସ୍ଥାନରେ ବଡ଼ ଧରଣର ଭୁସ୍ଖଳନ ଘଟିଛି।

ଘାଟି ରାସ୍ତାର ଦୁଇଟି ବୁଲାଣିର ପ୍ରାୟ ଶହେ ମିଟରରୁ ଅଧିକ ରାସ୍ତା ମାଟି ଅତଡା ରେ ପୋତି ହୋଇଯାଇଛି ଫଳରେ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି।

ପୁର୍ବରୁ ଭୁସ୍ଖଳନର ସମ୍ଭାବନା ଥିବା ଦୃଷ୍ଟିରୁ କରଡାସିଂ ପଞ୍ଚାୟତର କଣ୍ଟ୍ରୋଲ ରୁମରେ ଜେସିବି ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଥିଲେ। ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କାର୍ଯ୍ୟରେ ଲାଗିଥିବା ବେଳେ ଅଧିକ ମାତ୍ରାରେ ପାହାଡ଼ ଧସି ଥିବାରୁ ରାସ୍ତା ଅବରୋଧ ହଟାଇବା ପାଇଁ ବହୁ ସମୟ ଲାଗିବ।

ଏଥିସହ ଲଗାଣ ବର୍ଷା ଫଳରେ ପାହାଡ଼ର ମାଟି ହାଲକା ହୋଇ ରହିଥିବା ବେଳେ ଆହୁରି ଅନେକ ସ୍ଥାନରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି।

Comments are closed.