Latest Odisha News

BREAKING NEWS

Bihar Election: ବିହାରରେ କାଣ୍ଟେ କା ଟକ୍କର, ଟିକେ ଭୁଲ ହେଲେ ବିଗିଡ଼ିଯିବ ଗଣିତ

ପାଟନା: ଆଉ ମାତ୍ର କିଛି ଦିନ ପରେ ବିହାର ନିର୍ବାଚନ । ଏ ନିର୍ବାଚନ ଦେଶ ପାଇଁ ସ୍ୱତନ୍ତ୍ର । ଏଠାରେ ପ୍ରଥମ ଥର ପାଇଁ ଏସଆଇଆର୍ ହୋଇଛି । ଆଉ ଏହା ପରେ ବିହାରରେ ପ୍ରଥମ ଥର ପାଇଁ ମତଦାନ ହେଉଛି । ଅନେକ ବାଦ ବିବାଦ ପରେ ଦୁଇଟି ବଡ଼ ମେଣ୍ଟ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଅନେକ ସ୍ପଏଲର (ଭୋଟ ଭଙ୍ଗା) ପ୍ରାର୍ଥୀ ଓ ଦଳ ମଧ୍ୟ ମଇଦାନରେ । ଏକତରଫା ଫଳ ଆସିବା ସହଜ ନୁହେଁ । ଏଠି କାଣ୍ଟେ କା ଟକ୍କର ହେବ ।

ମୋଦୀଙ୍କ ପାଇଁ ବିହାର ଜରୁରୀ

ବିହାରରେ ଏସଆଇଆର ହୋଇଛି । ଏହା କେନ୍ଦ୍ର ସରକାରଙ୍କ ସପକ୍ଷରେ ଯିବ କି ନାହିଁ ତାହା ଏବେଠାରୁ କହିବା କଷ୍ଟକର । କାରଣ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆହୁରି ପାଞ୍ଚ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆହୁରି ଦଶ ଦିନ ରହିଛି । ଯଦି ଏସଆଇଆର୍ ବିରୋଧର ଜନମତ ଗଲା ତେବେ ବିହାରକୁ ବଞ୍ଚାଇବା କଷ୍ଟକର ହେବ । ଏଥିପାଇଁ ବିଜେପି ପୂରା ଦମରେ ଲାଗିଛି । ଟିକିନିଖି ଭୋଟ ହିସାବ କରୁଛି ବିଜେପି । ବିଜେପି ଓ ଜେଡିୟୁ ସମାନ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହା ସହିତ ଏଲଜେପି (ରାମବିଳାଶ), ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା, ଲୋକଶକ୍ତି ପାର୍ଟି ମଧ୍ୟ ଏନଡିଏରେ ଅଛନ୍ତି । ଏମାନେ ଏକାଠି ମ୍ୟାଜିକ ନମ୍ବର ହାସଲ କରିବା ପାଇଁ କସରତ କରୁଛନ୍ତି । ହାର-ଜିତର ପ୍ରଭାବ ବେଶୀ ବିଜେପି ଉପରେ ପଡ଼ିବ ।

ମଇଦାନରେ ମୋଦୀ

ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାର ଯେମିତି ହେଲେ ବି ଜରୁରୀ । ଏଥିପାଇଁ ସେ ପ୍ରଚାର ଜୋରଦାର କରିଛନ୍ତି । ବିକାଶ, ଶାନ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିଜେପି ପ୍ରମୁଖ ଏଜେଣ୍ଡା । ଏକାଧିକ ରୋଡ ସୋରେ ସେ ତେଜସ୍ୱୀ-ରାହୁଲଙ୍କୁ କଡ଼ା ସମାଲୋଚନା କରୁଛନ୍ତି । ଲାଲୁଙ୍କ ସମୟର ବିଶୃଙ୍ଖଳା, ଅପରାଧ ଓ ଏକଛତ୍ରବାଦ ପ୍ରସଂଗକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ଏଥିରେ ବହୁ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସାମିଲ ହୋଇଛନ୍ତି । କିନ୍ତୁ ଲଢେ଼ଇର ସମସ୍ତ ଚାପ ମୋଦୀଙ୍କ ଉପରେ ।

ନୀତୀଶ କୁମାର ବି ତାଙ୍କ ସୁଶାସନ ଇମେଜ ନେଇ ନିର୍ବାଚନର ନେତୃତ୍ୱ ନେଉଛନ୍ତି । ଜିତିଲେ ସେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏ ପ୍ରସଂଗରେ ଏନଡିଏ ସାମାନ୍ୟ ପଛରେ ରହିଥିବା ରାଜନୀତି ସମୀକ୍ଷକ କହୁଛନ୍ତି । କାରଣ ଏବେ ବି ନୀତୀଶଙ୍କ ସମକକ୍ଷ ନେତା ଭାବେ ରାଜ୍ୟରେ ଆଉ କାହାକୁ ମାନ୍ୟତା ମିଳିନି । କିନ୍ତୁ ମୋଦୀ ମ୍ୟାଜିକ କାମ କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ ।

ରାହୁଲ-ତେଜସ୍ୱୀ ଯୋଡ଼ି

ମହାମେଣ୍ଟର ବିଜୟରେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ ତାହା ନୁହେଁ, ରାହୁଲଙ୍କ ନେତୃତ୍ୱକୁ ମଧ୍ୟ ସ୍ୱୀକୃତି ମିଳିବ । ପ୍ରଥମେ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ କଂଗ୍ରେସ ସମର୍ଥନ କରୁ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏ ବିବାଦର ସମାଧାନ ହୋଇସାରିଛି । ବେରୋଜଗାରୀ, ଦାଦନ, ଗରିବି ଭଳି ପ୍ରସଂଗରେ ଏ ଯୋଡ଼ି ଏନଡିଏକୁ କଡ଼ା ସମାଲୋଚନା କରୁଛନ୍ତି । ଆରଜେଡି ଏଠାରେ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସ ତାର ଭୋଟ ଅଂଶରେ ମେଣ୍ଟ ପାଇଁ କେତେ ଆସନ ଯୋଡ଼ିବ ତାକୁ ନେଇ ରାଜନୀତି ସମୀକ୍ଷକ ସନ୍ଦିହାନ ଅଛନ୍ତି । କିନ୍ତୁ ରାହୁଲ ଓ ତେଜସ୍ୱୀଙ୍କ ସଭାରେ ଭିଡ଼ ଯଦି ଭୋଟରେ ପରିଣତ ହୁଏ, ତେବେ ଫଳାଫଳ ଓଲଟା ହୋଇପାରେ । କାରଣ ଗତ ନିର୍ବାଚନରେ ସର୍ବାଧିକ ଆସନ ଆରଜେଡି ହିଁ ଜିତିଥିଲା ।

ସ୍ପଏଲର (ଭୋଟଭଙ୍ଗା)

ବିହାରରେ ଭୋଟଭଙ୍ଗାଙ୍କର ଏକ ବଡ଼ ଭୂମିକା ରହିଛି । ଏମାନେ ଜିତନ୍ତୁ କି ନ ଜିତନ୍ତୁ କିନ୍ତୁ ଟାର୍ଗେଟ ପ୍ରାର୍ଥୀଙ୍କର ପରାଜୟର କାରଣ ହୁଅନ୍ତି । ବିହାର ରାଜନୀତିର ଏ ଜଟିଳ ସମୀକରଣକୁ ଯେଉଁ ମେଣ୍ଟ ନିର୍ଭୁଲ ଭାବେ ସମାଧାନ କରିଥିବ ତା ସପକ୍ଷରେ ଫଳାଫଳ ଯିବାର ସମ୍ଭାବନା ରହିଛି । ଏଥର ଜନସ୍ୱରାଜ ପାର୍ଟି କେତେ ସିଟ୍ ଜିତିବ ତାହା ଆକଳନ କରି ହେଉ ନ ଥିବା ବେଳେ କିନ୍ତୁ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଏ ପାର୍ଟିର ପ୍ରାର୍ଥୀ ପରାଜୟର କାରଣ ହେବେ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ସେହିପରି ଏଲଜେପି (ରାମବିଳାଶ), ଏମଆଇଆଇଏମ, ଲୋକଶକ୍ତି ପାର୍ଟି, ଆପ୍ ମଧ୍ୟ କିଛି ପରିମାଣରେ ଘାତକ ସାବ୍ୟସ୍ତ ହେବେ ।

ପଚିଶ ପାଇଁ କୋଡ଼ିଏ ଅଙ୍କ

ନୀତିଶ-ତେଜସ୍ୱୀ ସରକାରର ପତନ ପରେ ନୀତୀଶ-ବିଜେପି ସରକାର ସଫଳତାର ସହ କାର୍ଯ୍ୟକାଳ ପୂରଣ କରିଛନ୍ତି । ଗତଥର ଗଣିତକୁ ଦେଖିଲେ ଏଥର ବି ଅଙ୍କ ଆହୁରି ଜଟିଳ ହେବ । କାରଣ ଗତ ନିର୍ବାଚନରେ ସର୍ବାଧିକ ଭୋଟ ଓ ସର୍ବାଧିକ ଆସନ ପାଇ ମଧ୍ୟ ଆରଜେଡି ବିରୋଧୀ ଦଳରେ ବସିଥିଲା ।

୨୦୨୦ ନିର୍ବାଚନରେ ବିହାର ନିର୍ବାଚନରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ୨୮ଟି ଆସନରେ କୌଣସି ପ୍ରାର୍ଥୀ ଆରାମରେ ଜିତିଥିଲେ । ବାକି ସବୁ ଆସନରେ ଅତ୍ୟନ୍ତ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା ।

୨୮ଟି ଆସନରେ ବିଜୟ ବ୍ୟବଧାନ ୫ ପ୍ରତିଶତରୁ କମ ଥିଲା । ଏହି ବର୍ଗରେ ଆରଜେଡି ୭ ଓ ବିଜେପି ୯ଟି ଆସନ ଜିତିଥିଲେ । ସେହିପରି ୫ରୁ ୬ ପ୍ରତିଶତ ବ୍ୟବଧାନରେ ବିଜେପି ୬ଟି ଆସନ ଜିତିଥିବା ବେଳେ ଆରଜେଡି ମାତ୍ର ୨ଟି ଆସନ ଜିତିଥିଲା । ୫ରୁ ୧୦ ପ୍ରତିଶତ ଭୋଟ ବ୍ୟବଧାନରେ ୫୦ଟି ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା ବିଜେପି ୨୨ଟି ଆସନ ଜିତିଥିବା ବେଳେ ଆରଜେଡି ୧୮ଟି ଆସନ ଜିତିଥିଲା ।

ଗତ ନିର୍ବାଚନରେ ଏହି କମ ବ୍ୟବଧାନ ଉଭୟ ମେଣ୍ଟ ପାଇଁ ଏ ନିର୍ବାଚନରେ ବି ମୁଣ୍ଡ ବ୍ୟଥା ପାଲଟିଛି। ସବୁଠାରୁ ରୋଚକ କଥା ହେଲା ୨ ପ୍ରତିଶତରୁ କମ ବ୍ୟବଧାନରେ ବି ୨୦ରୁ ଆସନର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା। ତେଣୁ ଭୋଟଭଙ୍ଗା ପ୍ରାର୍ଥୀ ଓ ଦଳ ଉପରେ ଉଭୟ ମେଣ୍ଟ ନଜର ରଖିଛନ୍ତି। ଏହାକୁ ଯେଉଁ ମେଣ୍ଟ ସଫଳତାର ସହ ପରିଚାଳନା କରିପାରିବ ତା ପାଇଁ ମ୍ୟାଜିକ ନମ୍ବର ହାସଲ କରିବାର ସମ୍ଭାବନା ଅଧିକ ରହିଛି।

ଏହାବାଦ ବିହାରରେ ଚିରାଚରିତ ଜାତି, ଧର୍ମ ଆଧାରିତ ଭୋଟ ବିଭାଜନ ବି ହେବ । କିନ୍ତୁ ଏହା ଭୋଟ ଭଙ୍ଗା ରାଜନୀତି ଆଢୁଆଳରେ ହିଁ ହେବ ।

Comments are closed.