Latest Odisha News

BREAKING NEWS

ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ ଚ୍ୟାଡ୍ ଲେକକ୍ ଘାତକ ବୋଲିଂ ପ୍ରଦର୍ଶନ କରି ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ଖେଳାଳି ଜଣକ ମ୍ୟାଚ୍‌ରେ ମୋଟ ୬ଟି ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକାର ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସିଏସଏ ପ୍ରୋ ଟ୍ୱେଂଟି କପରେ କ୍ୱାଜୁଲୁ-ନଟାଲ୍ ଇନଲ୍ୟାଣ୍ଡର ଦ୍ରୁତ ବୋଲର୍ ଚ୍ୟାଡ୍ ଲେକକ୍ ଇତିହାସ ରଚିଛନ୍ତି । ଡାହାଣହାତୀ ଏହି ଦ୍ରୁତ ବୋଲର୍ ଜଣକ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍  ଅକ୍ତିଆର କରିଛନ୍ତି । ଚ୍ୟାଡ୍ ଲେକକ୍ ଏହି କମାଲ୍ ଟାଇଟନ୍ସ ଇନିଂସର ୧୯ତମ ଓଭରରେ କରିଥିଲେ ।  ପ୍ରଥମ ବଲ୍‌ରେ ୱିକେଟ୍ ନେଇଥିଲେ, ଏହାପରେ ଦ୍ଵିତୀୟ ବଲ୍‌ରେ ୨ ରନ୍ ଦେଇଥିଲେ ଏବଂ ପରବର୍ତ୍ତୀ ଚାରୋଟି ବଲ୍‌ରେ କ୍ରମାଗତ ଭାବେ ୱିକେଟ୍ ନେଇ ଡବଲ୍ ହ୍ୟାଟ୍ରିକ୍ ସହ ଓଭରରେ ମୋଟ ୫ଟି ୱିକେଟ୍ ହାସଲ କରିଥିଲେ । ଟାଇଟନ୍ସ ଦଳ ବେଶ୍ ଦ୍ରୁତ ଗତିରେ ବ୍ୟାଟିଂ କରୁଥିଲା, କିନ୍ତୁ ୧୯ତମ ଓଭରରେ ଏପରି କିଛି ଘଟିଲା ଯାହାର କେହି କଳ୍ପନା ମଧ୍ୟ କରି ନଥିଲେ । ଚ୍ୟାଡ୍ ଲେକକ୍ ପ୍ରଥମେ ଲିଅସ୍ ଡୁ ପ୍ଲୋଏଙ୍କୁ ବୋଲ୍ଡ କରିଥିଲେ । ଏହାପରେ ପରବର୍ତ୍ତୀ ବଲ୍‌ରେ ୨ ରନ୍ ଦେଇଥିଲେ । ତୃତୀୟ ବଲ୍‌ରେ ଡେୟନ୍ ଗାଲିୟମ୍, ଚତୁର୍ଥ ବଲ୍‌ରେ ଏଭିଭି ମନ୍ୟାଣ୍ଡା, ପଞ୍ଚମ ବଲ୍‌ରେ ଜ୍ୟାଙ୍କୋ ସ୍ମିଟ୍ ଏବଂ ଷଷ୍ଠ ବଲ୍‌ରେ ଏସୋସା ଏହିୱାବାଙ୍କୁ ବୋଲ୍ଡ କରିଥିଲେ ।

ଚ୍ୟାଡ୍ ଲେକକ୍‌ଙ୍କ ଏହି ଘାତକ ବୋଲିଂ ସତ୍ତ୍ଵେ ଟାଇଟନ୍ସ ଦଳ ୨୦ ଓଭରରେ ୨୦୪ ରନ୍ କରିବାରେ ସଫଳ ହୋଇଥିଲା । ସବୁଠାରୁ ଆଶ୍ଚର‌୍ୟ୍ୟଜନକ କଥା ହେଲା, ଏହି ମ୍ୟାଚ୍ ପୂର୍ବରୁ ଚ୍ୟାଡ୍ ଲେକକ୍‌ଙ୍କ ଟି-୨୦ କ୍ୟାରିୟରରେ ମାତ୍ର ୨ଟି ୱିକେଟ୍ ଥିଲା ଏବଂ ତାଙ୍କର ଇକୋନମି ରନ୍ ମଧ୍ୟ ପ୍ରତି ଓଭରରେ ୯.୧୧ ଥିଲା, କିନ୍ତୁ ଏହି ମ୍ୟାଚ୍‌ରେ ସେ ୪ ଓଭରରେ ମାତ୍ର ୨୬ ରନ୍ ଦେଇ ୬ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଚ୍ୟାଡ୍ ଲେକକ୍‌ଙ୍କ ପୂର୍ବରୁ ଆଉ ଚାରିଜଣ ବୋଲର୍ ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍ ନେବାର କାର୍ନାମା କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର୍ ନିଲ୍ ଓ୍ଵାଗ୍ନର ୨୦୧୧ରେ ପ୍ଲେଙ୍କେଟ୍ ସିଲ୍ଡରେ ୱେଲିଂଟନ୍ ବିପକ୍ଷରେ ଗୋଟିଏ ଓଭରରେ ୫ଟି ୱିକେଟ୍ ନେଇଥିଲେ ।  ବାଂଲାଦେଶର ଦ୍ରୁତ ବୋଲର୍ ଅଲ୍ ଆମିନ୍ ହୁସେନ୍ ୨୦୧୩ରେ ଭିକ୍ଟୋରୀ ଡେ ଟି-୨୦ କପ୍‌ରେ ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍ ଅକ୍ତିଆର କରିଥିଲେ । ଟି-୨୦ କ୍ରିକେଟ୍ ଇତିହାସରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଥିଲା । ଭାରତର ପୂର୍ବତନ ଦ୍ରୁତ ବୋଲର୍ ଅଭିମନ୍ୟୁ ମିଥୁନ୍ ସୟଦ ମୁସ୍ତାକ ଅଲି ଟ୍ରଫିରେ ହରିୟାଣା ବିପକ୍ଷରେ ଗୋଟିଏ ଓଭରରେ ୫ଟି ୱିକେଟ୍ ନେଇଥିଲେ । ଇଣ୍ଡୋନେସିଆର ବୋଲର୍ ଗେଡେ ପ୍ରିୟନ୍ଦନା ୨୦୨୫ରେ କାମ୍ବୋଡ଼ିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଗୋଟିଏ ଓଭରରେ ପାଞ୍ଚଟି ୱିକେଟ୍ ନେବାର ସଫଳତା ହାସଲ କରିଥିଲେ।

Leave A Reply

Your email address will not be published.