କଟକ: ସଜେଇ ହେଲାଣି ଐତିହାସିକ ବାଲିଯାତ୍ରା ପଡ଼ିଆ । ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ସକାଳୁ ମହାନଦୀ ପଠାରୁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହେବା ସହିତ ସଂଧ୍ୟାରେ ରହିଛି ବାଲିଯାତ୍ରାର ଉଦଘାଟନୀ ଉତ୍ସବ । ଦୀର୍ଘ ୮ ଦିନ ଧରି ଚାଲିବ ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା । ତେବେ ଚଳିତ ବର୍ଷ ପରିବେଶକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରାୟାସ କରାଯାଇଛି। ଓରମାସର ବିଭିନ୍ନ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ଶାଳପତ୍ରରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ବୋଇତ ତିଆରି କରାଯାଇଛି। ଏହି ପତ୍ରରେ ତିଆରି ଡ଼ଙ୍ଗା ମହାନଦୀ ଗର୍ଭରେ ଭସା ଯିବାର ଯୋଜନା ରଖାଯାଇଛି । ଏହାପରେ ଅନୁଷ୍ଠିତ ହେବ ମହାନଦୀ ଆଳତୀ ।
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚଳିତ ବର୍ଷର ବାଲିଯାତ୍ରା ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଟକ ସାଂସଦ, ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବେ ।
ବାଲିଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଅଳ୍ପ କିଛି କାର୍ଯ୍ୟ ଯାହା ବାକି ଅଛି କାଲି ସୁଦ୍ଧା ଶେଷ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପଟେ ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ ପଚାରିବାରୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଉପର ପଡ଼ିଆରେ ଆମେ ଉଠା ବ୍ୟବସାୟୀଙ୍କୁ ବସିବାକୁ ସୁଯୋଗ ଦେଇଛୁ । ଏହାବ୍ୟତୀତ ଦହିବରା ଜୋନ ମଧ୍ୟ ତିଆରି କରାଯାଇଛି । ପିଲା ମାନଙ୍କ ମନୋରଞ୍ଜନ ପାଇଁ ପ୍ଲେ ଜୋନର ବ୍ୟବସ୍ଥା କରାଯାଇଛି ଏବଂ ସବୁ ପ୍ରକାର ଆୟୋଜନ ଆସନ୍ତା କାଲି ସମ୍ପୂର୍ଣ ହୋଇଯିବ ।
Comments are closed.