Latest Odisha News

BREAKING NEWS

ଫାଇଦା ପାଇଁ ପଟ୍ଟ ପରିବର୍ତ୍ତନ କରି ଜୟ ଡାହା ମିଛ କହୁଛନ୍ତି: ବିଜେଡି

ଭୁବନେଶ୍ୱର: ବିଜେଡି ଓ ନବୀନ ବାବୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅଣଦେଖା କରିଥିବା ନେଇ ଜୟ ଢୋଲକିଆ ଏବଂ ତାଙ୍କ ମାତା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା । ସେ କହିଛନ୍ତି, ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ତିନି ଥର ବିଧାୟକ ଭାବେ ଜିତିଥିଲେ ସ୍ୱର୍ଗତ ରାଜୁ ଢୋଲକିଆ। ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ନବୀନ ବାବୁ ମଧ୍ୟ ମନ୍ତ୍ରୀ କରିଥିଲେ।

ନୂଆପଡାରେ ବିକାଶ ଯାହା ବି ହୋଇଛି ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ହୋଇଛି । ରାଜେନ୍ଦ୍ରଙ୍କ ବିଚାରଧାରାକୁ ହତ୍ୟା କରି ଜୟ ଢୋଲକିଆ ବିଜେପିକୁ ଯାଇ ଡାହା ମିଛ କହୁଛନ୍ତି। ଜୟ ନିଜ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ। ଜୟ ସ୍ପଷ୍ଟ ଭାବେ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସହ ଅଛି, ବିଜୁ ବିଚାରଧାର ସହ ଅଛି । ନବୀନ ବାବୁ ମୋତେ ଆଶୀର୍ବାଦ କରିଛନ୍ତି ନୂଆପଡାରେ ପ୍ରାର୍ଥୀ ହେବା ପାଇଁ। ତା ପରେ ଦିଲ୍ଲୀରେ କ’ଣ ଡିଲ୍ ହେଲା ଯେ, ସେ ବିଜେଡି ଛାଡି ବିଜେପି ପଳାଇଲେ। ତାହାକୁ ଜୟ ଢୋଲକିଆ ସ୍ପଷ୍ଟ କରିବା ଉଚିତ।

ରାଜେନ୍ଦ୍ର ଢୋଲକିଆଙ୍କ ବିଚାରଧାରାକୁ ହତ୍ୟା କରି ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଜୟ ଢୋଲକିଆ ଯେଉଁ ଅପଚେଷ୍ଟା କରୁଛନ୍ତି, ସେଥିରେ ସେ ସଫଳ ହେବେ ନାହିଁ। ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କ ସହ ଯୋଗାଯୋଗରେ ଥିଲେ। ନବୀନ ବାବୁଙ୍କ ନିର୍ଦ୍ଦେଶରେ ଚେନ୍ନାଇରୁ ରାଜୁ ଭାଇଙ୍କ ମରଶରୀର ଆଣିବା ପାଇଁ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ। ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲରେ ଯୋଗ ଦେଇଥିଲେ। ଜୟ ଢୋଲକିଆଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଯେଉଁ ଡିଲ ହୋଇଛି ତାହାର ଆଜି ପର୍ଦ୍ଦାଫାଶ ହୋଇଛି। ନୂଆପଡାବାସୀ ଏହାର ସଠିକ୍ ଜବାବ ଦେବେ। ବିଜୁ ବିଚାରଧାରା ଓ ରାଜୁ ଢୋଲକିଆଙ୍କ ଜୀବନବ୍ୟାପୀ ଯେଉଁ ସଂଘର୍ଷ ରହିଛି, ତାହାକୁ ଯିଏ ହତ୍ୟା କରିଛି ନୂଆପଡାବାସୀ ହିଁ ତା’ର ଉଚିତ୍ ଜବାବ ଦେବେ ବୋଲି ଦାସବର୍ମା କହିଛନ୍ତି।

Comments are closed.