ଗୋଲ୍ଡ କୋଷ୍ଟ: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା । ଶୁଭମନ ଗିଲ ୪୬ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୨୮, ଶିବମ ଦୁବେ ୨୨, ସୂର୍ଯ୍ୟକୁମାର ଯାଦବ ୨୦ ଓ ଅକ୍ଷର ପଟେଲ ୨୧ ରନ କରିଥିଲେ । ଅଭିଷେକ ଓ ଗିଲ ପ୍ରଥମ ୱିକେଟରେ ୫୬ ରନ ଯୋଗ କରିଥିଲେ । ଅଷ୍ଟ୍ରେଲିଆର ନାଥନ ଏଲିସ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଜବାବରେ ୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମିଚେଲ ମାର୍ଶ ୩୦ ଓ ମାଥ୍ୟୁ ଶର୍ଟ ୨୫ ରନ କରିଥିଲେ । ୪ ୱିକେଟ ବିନିମୟରେ ୯୧ ରନ କରିଥିବା ଅଷ୍ଟ୍ରେଲିଆ ଶେଷ ୬ଟି ୱିକେଟ ମାତ୍ର ୨୮ ରନରେ ହରାଇଥିଲା । ୱାଶିଂଟନ ସୁନ୍ଦର ୩ ରନରେ ୩ଟି ଏବଂ ଅକ୍ଷର ପଟେଲ, ଶିବମ ଦୁବେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଅକ୍ଷର ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.