ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ଗତ ୪ ଦିନରେ ୪.୬ ଡିଗ୍ରୀ ଖସିଛି ରାଜଧାନୀର ତାପମାତ୍ରା । ଭୋର ସାଢେ ୭ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।
ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା । କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିଛି । ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ।
ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ମୟୂରଭଞ୍ଜରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା । ଓଡ଼ିଶାର କାଶ୍ମିର ତଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ଖସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି ।
ଆସନ୍ତା ୨ରୁ ୩ଦିନରେ ପାରଦ ଆହୁରି ଖସିବା ସହ ଥଣ୍ଡା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସକାଳୁ ସକାଳୁ ପାଗ ହାଲୁକା କୁହୁଡ଼ିଆ ରହିଥିବା ବେଳେ ସ୍ଥାନେ ସ୍ଥାନେ ଲୋକେ ମର୍ଣ୍ଣିୱାର୍କ କରୁଛନ୍ତି। ଚା ଖଟିରେ ବୟସ୍କଙ୍କ ଖଟି ଜମୁଛି । ଆଜି ଦିନରେ ଆକାଶ ସଫା ନିର୍ମଳ ରହିବା ସହ ତାପମାତ୍ରା ୩୧ ଡିଗ୍ରୀ ମଧ୍ୟରେ ରହିବ ।
Comments are closed.