ଭୁବନେଶ୍ୱର: ଏଣିକି ସହଜ ହେବ ପଟ୍ଟା ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ କ୍ରିୟାରେ (Settlement Operation) ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍ କରିଥାନ୍ତି ।
ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ରୁଲ୍ ସଂଶୋଧନ ଦ୍ବାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାର ମାନେ କ୍ଷମତାପ୍ରାପ୍ତ ହେବେ ।
ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।
Comments are closed.