Latest Odisha News

BREAKING NEWS

ଟକସ ଫାଙ୍କି ଓ ବିନା ପରମିଟ୍‌ରେ ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ୍, ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନା ଥିଲା ପରମିଟ, ନା ଦେଉଥିଲେ ଟିକସ। ସରକାରଙ୍କୁ ରାଜ୍ୟ ବସ୍ କଥା କହି ଭୁଆଁ ବୁଲାଉଥିଲେ କଲିକତା ବସ। ଆଉ ଏଭଳି କିଛି ବସକୁ ଜବତ କରି ଫାଇନ ପକେଇଛି ପରିବହନ ବିଭାଗ। ଟିକସ ଫାଙ୍କି ଓ ପରମିଟ୍ ନିୟମ ଉଲ୍ଲଙ୍ଘନ ବିରୋଧରେ STA, Odisha ଓ RTO ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ଏହି ବସଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା। ମନଇଚ୍ଛା ଆସୁଥିଲେ, ମନଇଚ୍ଛା ଲୋକ ନେଇ ଯାଉଥିଲେ।

ଏହିକ୍ରମରେ ଭୁବନେଶ୍ୱରରେ ୩ଟି ବାହାର ରାଜ୍ୟର ବସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିୟମ ଉଲ୍ଲଙ୍ଘନ କରିଥିବା ବସ୍ ଗୁଡ଼ିକର ପଞ୍ଜିକରଣ ନମ୍ବର WB41J9077, WB73G4486, WB76A9338। ଅନ୍ୟପଟେ ଆଜି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ହଠାତ ଚଢ଼ାଉ କରିବା ପରେ ଅସାଧୁ ବସ ମାଲିକମାନଙ୍କ ଏହି କଳା କାରନାମାର ପର୍ଦ୍ଦାଫାଶ ହୋଇଛି। ପରିବହନ ବିଭାଗ ପକ୍ଷରୁ ଆଜି ପଶ୍ଚିମବଙ୍ଗର ୪ଟି ବସ ଉପରେ ୧୫ ଲକ୍ଷ ଟଙ୍କାର ଫାଇନ କଷିଦେଇଛି।

ଟିକସ ଫାଙ୍କି ଓ ପରମିଟ୍ ଅନିୟମିତତା ଅଭିଯୋଗରେ ପରିବହନ ବିଭାଗ ଏହି ବସଗୁଡିକୁ ଜବତ କରି ଫାଇନ କରିଛି। ପରିବହନ ବିଭାଗର ସୂଚନା ମୁତାବକ ପୁରୀରୁ କୋଲକାତା ଯାଉଥିବା ଶ୍ୟାମଳୀ ପରିବହନ, ଏକ୍ସପ୍ରେସ ଲାଇନ ସହ କାଲାସୋନା ନାମକ ବସଗୁଡିକ ସରକାରଙ୍କୁ ଠକୁଥିଲେ। ଏହି ବସଗୁଡିକ ମନ ଇଚ୍ଛା ଲୋକ ଉଠାଇବା ସହ ମନଇଚ୍ଛା ଭଡା ବି ନେଉଥିଲେ। ବେଳେବେଳେ ଭଡା କମାଇଦେଉଛନ୍ତି, ଅନ୍ୟବେଳେ ଯେପରିକି ରଥଯାତ୍ରା-ଦଶହରା ସମୟରେ ଭଡା ୩ ହଜାର ଯାଏଁ ପହଁଚିଯାଉଛି। ତେଣୁ ଏସବୁ ନିୟମ ଭାଙ୍ଗୁଥିବାରୁ ବସଗୁଡିକୁ ସିଜ କରାଯାଇଛି।

Comments are closed.