ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ଧଳା ଆଇ ୨୦ କାର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଷଡ଼ଯନ୍ତ୍ର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (AIU) ବର୍ତ୍ତମାନ୍ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ରଦ୍ଦ କରିଛି।
ବିଶ୍ୱବିଦ୍ୟାଳୟକୁ ଆଉ AIU ନାମ କିମ୍ବା ଲୋଗୋ ବ୍ୟବହାର କରିବାକୁ ଅନୁମତି ନାହିଁ ବୋଲି ମଧ୍ୟ କୁହାଯାଇଛି। ଏହି ନିଷ୍ପତ୍ତି ଅନୁଷ୍ଠାନର “ଗୁଡ୍ ଷ୍ଟାଣ୍ଡିଂ” ନୀତି ଅନୁଯାୟୀ ନିଆଯାଇଥିବା ନେଇ AIU ସୂଚନା ଦେଇଛି। ତେବେ ଏହା ଦ୍ଵାରା ହଜାର ହଜାର ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଭାବିତ ହେବା ସହ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଚିନ୍ତାର ବିଷୟ ପାଲଟିଛି। ନିୟମ ଅନୁଯାୟୀ ଯଦି କୌଣସି ବିଶ୍ୱବିଦ୍ୟାଳୟର ନାମ କୌଣସି ବିବାଦ, ଅପରାଧିକ ତଦନ୍ତ କିମ୍ବା ଠକେଇ କାର୍ଯ୍ୟକଳାପରେ ଆସିଥାଏ ତେବେ ଏହାର ସଦସ୍ୟତାକୁ ନିଲମ୍ବିତ କିମ୍ବା ସମାପ୍ତ କରାଯାଇପାରେ।
ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ୧୭ ନମ୍ବର କୋଠା ଆତଙ୍କବାଦୀ ମାନଙ୍କ ପାଇଁ ଏକ ଖୁଫିଆ ବୈଠକର କେନ୍ଦ୍ର ଥିଲା ବୋଲି ତଦନ୍ତ କରି ଟିମ୍ ପ୍ରକାଶ କରିଛନ୍ତି। ତେବେ ଏହି ବୈଠକଗୁଡ଼ିକ ୧୩ ନମ୍ବର କୋଠରୀରେ ହେବା ସହ ସେଠାରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ସିରିଜ ବିସ୍ଫୋରଣ କରିବା ନେଇ ଯୋଜନା କରାଯାଉଥିଲା। ତେବେ ଏହି କୋଠରୀଟି ପୁଲୱାମାର ବାସିନ୍ଦା ଡକ୍ଟର ମୁଜାମ୍ମିଲ୍ ଅହମ୍ମଦ ଗାଇଙ୍କର ଥିଲା। ସେ ନିୟମିତ ଭାବରେ କିଛି ମୌଳବାଦୀ ଡାକ୍ତର ଏବଂ ଛାତ୍ରଙ୍କ ସହ ସାକ୍ଷାତ କରୁଥିବା ନେଇ ତଦନ୍ତରୁ ଜଣାପଡ଼ିଛି। IED ର କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥଗୁଡ଼ିକ ବିଶ୍ୱବିଦ୍ୟାଳୟର ଲ୍ୟାବରୁ ଏଠାକୁ ଅଣାଯାଉଥିବା ନେଇ ସନ୍ଦେହ କରାଯାଉଛି।
ତେବେ ପୋଲିସ ବର୍ତ୍ତମାନ ୧୩ ନମ୍ବର କୋଠରୀକୁ ସିଲ୍ କରିଛି ଏବଂ ସେଠାରେ ଥିବା ଲାପଟପ୍, ଇଲେକ୍ଟ୍ରୋନିକ୍ ଉପକରଣ, ରାସାୟନିକ ଜିନିଷ ଏବଂ ଡିଜିଟାଲ୍ ନୋଟ୍ ମଧ୍ୟ ଜବତ କରିଛି।
Comments are closed.