ପାଟନା: ଆଜି ବିହାର ଓ ନୂଆପଡ଼ା ଫୈସଲା। ସନ୍ଧ୍ୟା ସୁଦ୍ଧା ଆସିବ ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି। କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ। ବିହାର ବିଧାନସଭା ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ୮ଟାରୁ ପୋଷ୍ଟାଲ ବାଲଟ୍, ସାଢ଼େ ୮ଟାରୁ EVM ଗଣତି ଆରମ୍ଭ ହେବ। ମୋଟ୍ ୪୬ କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ରହିଛି।
ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ। ତେବେ ଏହି ଏଗଜିଟ୍ ପୋଲ୍ ସତ ହେବ ନା ବୁଥ୍ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୂରା ଦେଶର ନଜର ରହିଛି। ଆଜି ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଜଣାପଡିବ ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ କାହା ସପକ୍ଷରେ ଯାଉଛି ତାହା ସ୍ପଷ୍ଟ ହୋଇଯିବ। ତେବେ ବିହାର ଇତିହାସରେ ପ୍ରଥମ ଥର ପାଇଁ ସର୍ବାଧିକ ୬୬.୯୧% ମତଦାନ ହୋଇଛି । ଯେଉଁ ଅଧିକ ଭୋଟିଂ ହୋଇଛି ତାହା କାହା ସପକ୍ଷରେ ଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
୨୪୩ ଆସନକୁ ନେଇ ଗଠିତ ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ରହିଛି ୧୨୨ । ବିହାର ଫଳାଫଳକୁ ନେଇ ୯ଟି ବୁଥ୍ ବାହୁଡ଼ା ମତ ଏନ୍ଡିଏର ବଡ଼ ବିଜୟ ହେବ ବୋଲି ଆକଳନ କରିଛନ୍ତି । ଏନ୍ଡିଏ ପାଇଁ ସହଜ ବିଜୟ ଆକଳନ କରିଛି ଟୁଡେଜ ଚାଣକ୍ୟ। କିନ୍ତୁ କଂଗ୍ରେସ ଏବଂ ଆରଜେଡି ମହାଗଠବନ୍ଧନ ମେଣ୍ଟ ଏଗଜିଟ୍ ପୋଲ ଭୁଲ ପ୍ରମାଣିତ ହେବାର ଆଶା ରଖିଛନ୍ତି । ସେପଟେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ଦଳ କେତେ ପ୍ରତିଶତ ଭୋଟ ପାଉଛି ତାହା ଉପରେ ମଧ୍ୟ ନଜର ରହିଛି। କାରଣ ଏହି ଭୋଟ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲେ ମଧ୍ୟ ଅନ୍ୟକୁ ହରାଇବାରେ ସହାୟକ ହୋଇପାରେ। ବିହାର ରେଜଲ୍ଟର ପ୍ରଭାବ ୨୦୨୬ରେ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଓ ଆସାମ ବିଧାନସଭା ନିର୍ବାଚନ ଉପରେ ପଡ଼ିବ ବୋଲି ଆଶା କରାଯାଉଛି ।
Comments are closed.