Latest Odisha News

Road Accident Awareness: ୧୬ରୁ ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ। ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଡ଼କ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ବଣ୍ଟାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲଂଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ। ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ। ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ବ୍ୟାପକ ଧରପଗଡ଼ ଚାଲିବ । ବିଶେଷକରି, ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ମଲ, ବଜାର ଆଦି ଜାଗାରେ ଏନ୍ଫୋର୍ସମେଣ୍ଟ ଟିମ୍ ଜଗିବେ । ବେପରୁଆ ଗାଡ଼ିଚାଳନା ସହ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସାରା ରାଜ୍ୟରେ ଦୁର୍ଘଟଣାପ୍ରବଣ ରାସ୍ତା ଉପରେ ବିଶେଷ ନଜର ରହିବ । ସେଠାରେ ଦୁର୍ଘଟଣାକୁ କିଭଳି କମାଯାଇପାରିବ, ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ କୁହାଯାଇଛି । ବ୍ଲାକ ସ୍ପଟ୍ରେ ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ସହ ରାସ୍ତା ସାଇନେଜ୍ ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ସଚେତନତା ଅଭିଯାନ ଚାଲିବ । ସଡ଼କ ଦୁର୍ଘଟଣାଗ୍ରସ୍ତ ଆହତମାନଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ଜନତାଙ୍କୁ ଆହ୍ୱାନ ଦିଆଯିବ । ସୂଚନାଯୋଗ୍ୟ, ପ୍ରତିଟି ଜୀବନ ମୂଲ୍ୟବାନ । ଗୋଟିଏ ବି ମୃତ୍ୟୁ, ବହୁତ ଅଧିକ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବା “କମ୍ ହୋମ୍ ସେଫ୍’କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି । ପ୍ରଥମେ ନଭେମ୍ବର ୧ରୁ ୧୫ ଯାଏଁ ଏହି ଅଭିଯାନ ପାଳିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଏହାକୁ ନଭେମ୍ବର ୧୬ରୁ ୩୦ ଯାଏଁ ପାଳିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।

Comments are closed.