Latest Odisha News

BREAKING NEWS

Cold in Odisha: ରାଜ୍ୟରେ ହାଡଭଙ୍ଗା ଶୀତ: ରାଜ୍ୟର ୧୦ ସହରରେ ତାପମାତ୍ରା, ୩ ଜିଲ୍ଲାକୁ ଥଣ୍ଡା ନେଇ ଆଲର୍ଟ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ। ପାଣିପାଗ ବିଭାଗ ଶୀତକୁ ନେଇ ଏହି ପୂର୍ବାନୁମାନ କରିଛି।

ସେମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଯାଏଁ କମ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ତଳମୁହାଁ ହୋଇଛି ପାରଦ। ୩ ଦିନରେ ୧.୨ ଡିଗ୍ରୀକୁ ଖସିଛି ତାପମାତ୍ରା। ଆଜି ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦୁଇ ଦିନ ଆହୁରି ତାପମାତ୍ରା କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ଖସିବା ସହ ଥଣ୍ଡା ଅନୁଭବ ହେବ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୪.୮ ଡିଗ୍ରୀ କମ୍ ରହିଥିଲା । କଟକରେ ସ୍ୱାଭାବିକଠାରୁ ୪.୩ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Comments are closed.