Latest Odisha News

BREAKING NEWS

ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆଜି ହେଉଛି ଜନ୍ମତିଥି । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ ସେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

ଫକୀର ମୋହନଙ୍କ ପିଲାବେଳ:

୧୮୪୩ ମସିହା ମକର ସଂକ୍ରାନ୍ତିରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।

ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।

ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଶିକ୍ଷା ଗ୍ରହଣ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ ।

ବିଦ୍ୟା ଆହରାଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଥିଲେ । ନିଜ ମାତୃଭାଷାରେ ଜ୍ଞାନ‌କୋଷ ଭରିବା ସ‌ହିତ ସେ ପ୍ୟାରିସ ଭାଷା ମଧ୍ୟ ଶିକ୍ଷା କରିଥିଲେ ।

ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।

ମା‍ଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରିବାରୁ ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ପରେ ସେହି ବାରବାଟୀ ସ୍କୁଲରେ ସେ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକତା କରିଥିଲେ।

ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବ‌ହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀରମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ ।

ସାହିତ୍ୟ ସର୍ଜନା:

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

କ୍ଷୁଦ୍ରଗଳ୍ପ:

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରି ଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା ।

୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି ।

Leave A Reply

Your email address will not be published.