Latest Odisha News

BREAKING NEWS

ଶ୍ରୀଲଙ୍କାରେ ‘ଡିଟୱା’ର ତାଣ୍ଡବ; ୫୬ ମୃତ, ଅନେକ ନିଖୋଜ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

କଲମ୍ବୋ: ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଦ୍ୱାରା ହୋଇଥିବା ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଶ୍ରୀଲଙ୍କାରେ ଭୟୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ନିଖୋଜ ହୋଇଛନ୍ତି । ଅଧିକାରୀମାନେ ସଚେତନ କରିଛନ୍ତି ଯେ ଆଗାମୀ ଘଣ୍ଟାଗୁଡ଼ିକରେ ଘୂର୍ଣ୍ଣିବାତ୍ୟା ଆହୁରି ତୀବ୍ର ହେବାର ସମ୍ଭାବନା ଅଛି । ଏବେ ଏହି ବାତ୍ୟା ଭାରତର ସମୁଦ୍ରତଟ ଅଞ୍ଚଳର ରାଜ୍ୟଗୁଡ଼ିକ ଦିଗରେ ମାଡି ମାଡି ଚାଲିଛି ।

ଘୂର୍ଣ୍ଣିବାତ୍ୟା ଶ୍ରୀଲଙ୍କାରେ ବହୁତ କ୍ଷତି କରିଛି । ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (DMC) କହିଛି ଯେ ମଧ୍ୟ ଚା ଉତ୍ପାଦକ ଜିଲ୍ଲା ବାଦୁଲ୍ଲାରେ ରାତିରେ ଭୂ-ସ୍ଖଳନ ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରୀଲଙ୍କାରେ ଏହାକୁ ଏ ପର୍ଯ୍ୟନ୍ତର ସବୁଠୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।

ଶ୍ରୀଲଙ୍କାରେ ବନ୍ୟା ଯୋଗୁ ଉପୁଜିଥିବା ପରିସ୍ଥିତି ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ପଡୋଶୀଙ୍କ ସମର୍ଥନରେ ଭାରତ ‘ଅପରେସନ ସାଗର ବନ୍ଧୁ’ ହାତକୁ ନେଇଛି । ଏହି କାର୍ଯ୍ୟକ୍ରମରେ ତତ୍କାଳ ରିଲିଫ ସାମଗ୍ରୀ ଓ ଜରୁରୀ ମାନବୀୟ ସହାୟତା ପଠା ଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସହାୟତା ମଧ୍ୟ ପଠାଯିବ ବୋଲି ଏଥିରେ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି ।

ମୋଦି ଆହୁରି ଲେଖିଛନ୍ତି, ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଯୋଗୁଁ ପ୍ରିୟଜନଙ୍କୁ ହରାଇଥିବା ଶ୍ରୀଲଙ୍କାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା । ମୁଁ ସମସ୍ତ ପ୍ରଭାବିତ ପରିବାରର ସୁରକ୍ଷା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”

ପାଣିପାଗ ବିଭାଗ ଅନୁସାରେ ମଲକ୍କା ଉପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ସେନ୍ୟାର’ କ୍ରମଶଃ ଦୁର୍ବଳ ହୋଇଛି । ଏଥି ଯୋଗୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲୋ ପ୍ରେସର ବେଲ୍ଟ ସୃଷ୍ଟି ହୋଇଥିଲା । ଏହା ଏବେ ‘ଡିଟୱା’ ରୂପେ ପ୍ରକୋପ କରୁଛି । ଏଣୁ ଶ୍ରୀଲଙ୍କାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ପାଣିପାଗ ବିଭାଗ ଅନୁସାରେ ଡିଟୱା ଯୋଗୁ ଭାରତର କେତେକ ଅଞ୍ଚଳରେ ଭୀଷଣ ବର୍ଷା ହୋଇ ପାରେ। ଆଇଏମଡି ଆକଳନ ଅନୁସାରେ ଡିଟୱା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ପାଖାପାଖି ପହଞ୍ଚିବ। ଏଥି ପାଇଁ ୨୯, ୩୦ ନଭେମ୍ବର ଓ ଡିସେମ୍ବର ୧ ତାରିଖରେ ରୟାଲସୀମା ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଭୀଷଣରୁ ଅତି ଭୀଷଣ ବର୍ଷା ସତର୍କତା ଜାରି ହୋଇଛି ।

Comments are closed.