ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିଛି ଦିନ ପରେ ଶୀତ ପୁଣି ବଢ଼ିଛି। ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଭଳି ସ୍ଥାନର ରାତି ତାପମାତ୍ରା ଖସିଛି।
ଦିନକରେ ଜି. ଉଦୟଗିରିରେ ପାରଦ ପ୍ରାୟ ୫ ଡିଗ୍ରୀ କମିଛି। ଦାରିଙ୍ଗିବାଡ଼ିରେ ପ୍ରାୟ ୨.୫ ଡିଗ୍ରୀ, ଫୁଲବାଣୀରେ ୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪ ଡିଗ୍ରୀ, କଟକରେ ୩ ଡିଗ୍ରୀ ଖସିଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆଗକୁ ଶୀତ ବଢ଼ିବା ସହ କୁହୁଡ଼ି ବି ବଢ଼ିବ। ଆଗାମୀ ୪ ଦିନରେ ପାରଦ ୪ ଡିଗ୍ରୀ କମିଯିବ।
ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ। ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ। ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ। ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିପାରେ। ଗୁରୁବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କେନ୍ଦୁଝରରେ ରାତି ତାପମାତ୍ରା କମ୍ ରହିବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।