ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡ଼ି, ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି। ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ। କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତି। ସ୍ଥାୟୀ ନିଯୁକ୍ତି ୫୦୦୩ ଡାକ୍ତର, ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି।
ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତାରକା ପ୍ରଶ୍ନ କେଉଁ ଜିଲାରେ କେତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ଅଛି ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ। ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତ ପଦବୀ, ସେଥିରେ କାର୍ଯ୍ୟରତ ଡାକ୍ତର ଓ ଖାଲିଥିବା ପଦବୀ ସଂଖ୍ୟାର ଜିଲାୱାରୀ ବିବରଣୀ ଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ୧୫,୭୭୪ରୁ ଖାଲି ପଡିଛି ୯୫୦୩ ପଦବୀ । କାର୍ଯ୍ୟରତ ଅଛନ୍ତି ୬୨୭୧ଡାକ୍ତର, ଏମାନଙ୍କ ମଧ୍ୟରୁ ୧୧୩୫ଠିକା ନିଯୁକ୍ତି ପାଇଛନ୍ତି । ଆଡହକରେ ୧୯ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ଜଣ ଡାକ୍ତର ଅଛନ୍ତି । ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର ୫୦୦୩ଜଣ ଡାକ୍ତର । ୫୨୪୮ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଛ ।
ସରକାରୀ ମେଡିକାଲ କଲେଜରେ ପ୍ରାଧ୍ୟାପକ ମରୁଡି । ୪୨୧ଜଣ ପ୍ରାଧ୍ୟପକ, ସହକାରୀ ପ୍ରାଧ୍ୟାପକ ଓ ସହାୟକ ପ୍ରାଧ୍ୟାପକ ପଦବୀ ପୂରଣ କରିପାରି ନାହାଁନ୍ତି ସରକାର । ଖାଲିପଡିଥିବା ଡାକ୍ତର ପଦବୀ ଗୁଡିକୁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।