ମାଲକାନଗିରି:ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ପରଠୁ ମୁହାଁମୁହିଁ ହୋଇଛନ୍ତି ମାଲକାନଗିରିର ଦୁଇ ଗାଁ ବାସୀ। ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା । ତେଣୁ ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି। ଏମଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନ ଏହି କଟକଣା ଲଗାଇଛି। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି।
ଘଟଣାସ୍ଥଳକୁ ରବିବାର ରାତିରେ ଡିଆଇଜି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନାଥାଉକି, ୪ ଦିନ ତଳେ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ରାଖାଲଗୁଡ଼ା ଓ ଏମଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । କିଛି ଲୋକ ଏମଭି ୨୬ ଗ୍ରାମରେ ନିଆଁ ଲଗାଇ ଦେବା ସହ ଘର ଭାଙ୍ଗି ଦେଇଥିଲେ। ଘଟଣା ସ୍ଥଳରେ ଡିଆଇଜି,ଏସପି, ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାଇଥିଲେ ।
ଘଟଣାସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ଥିଲେ ମଧ୍ୟ ଉଭୟ ଗୋଷ୍ଠୀମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଉଭୟ ଗାଁରେ BNS ଧାରା 163 ଜାରି କରାଯାଇଛି । ୪ଦିନ ପାଇଁ ସ୍କୁଲି ଛୁଟି ଘୋଷଣା କରାଯାଇଛି ।