ଭୁବନେଶ୍ବର: ଭୁବନେଶ୍ବରର ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଭୁବନେଶ୍ବର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିବା ପରି ବିଷୟ । ବର୍ବରତା ଓ ଅରାଜକତା ସୀମା ଟପୁଛି ।
ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି। ଅପରାଧୀ ଭୟଶୂନ୍ୟ ହେବା ସହ ସରକାର ବିଶ୍ୱସନୀୟତା ହରାଉଛନ୍ତି ବୋଲି ନବୀନ ଲେଖିଛନ୍ତି । ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି ।
ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ । ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।