ଶ୍ରୀନଗର: କାଶ୍ମୀର ଘାଟିରେ ରେଳ-ଭିତ୍ତିକ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ବରୂପ, ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଏକ ଖାଦ୍ୟଶସ୍ୟବାହୀ ଟ୍ରେନ ଆଜି ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଛି । ଏହା ସହିତ ଏହି ଅଞ୍ଚଳଟି ଜାତୀୟ ମାଲବାହୀ ରେଳ ନେଟଓ୍ବର୍କ ସହ ଯୋଡ଼ି ହୋଇଛି ।
ପଞ୍ଜାବର ଅଜିତୱାଲ ଷ୍ଟେସନରୁ ଯାତ୍ରା କରିଥିବା ଏହି ମାଲବାହୀ ଟ୍ରେନଟି ପ୍ରାୟ ୧,୩୮୪ ଟନ୍ ଅତ୍ୟାବଶ୍ୟକ ଶସ୍ୟ ବହନ କରି ସଫଳତାର ସହ ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଥିଲା। ରେଳଯୋଗେ ଖାଦ୍ୟଶସ୍ୟ ସିଧାସଳଖ ଦକ୍ଷିଣ କଶ୍ମୀରରେ ପହଞ୍ଚିବାର ଏହା ହେଉଛି ପ୍ରଥମ ଘଟଣା ।
ଘାଟିରେ, ବିଶେଷକରି ଦୂର୍ଗମ ଓ ଦୂରନ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଦକ୍ଷତାର ସହ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ରେଳ-ଭିତ୍ତିକ ପରିବହନ କେବଳ ବଫର ଷ୍ଟକ୍ ପରିବହନର ଭରସାଯୋଗ୍ୟତା ବୃଦ୍ଧି କରିବ ନାହିଁ ବରଂ ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ କରିବ, ଯାହା ଯୋଗାଣ ଶୃଙ୍ଖଳାକୁ ଦ୍ରୁତ ଏବଂ ଅଧିକ ମିତବ୍ୟୟୀ କରିବ। ଏହା ସ୍ଥାନୀୟ ବଜାରର ଅଭିବୃଦ୍ଧିରେ ସହାୟକ ହେବ, ଆଞ୍ଚଳିକ କୃଷି ଅର୍ଥନୀତିକୁ ସୁଦୃଢ କରିବ ଓ ଲଜିଷ୍ଟିକ୍ସ ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ । ଅନ୍ୟପକ୍ଷରେ ଅନନ୍ତନାଗ ଗୁଡ୍ସ ଟର୍ମିନାଲ କାର୍ଯ୍ଯକ୍ଷମ ହେବା ଦ୍ବାରା ଅନ୍ୟାନ୍ୟ ଦ୍ରବ୍ୟ ଓ ଜରୁରୀ ସାମଗ୍ରୀର ପରିବହନ ମଧ୍ୟ ସୁଗମ ହେବ, ଫଳରେ ଭବିଷ୍ୟତରେ ମାଲବାହୀ ଟ୍ରେନ ପରିବହନ ଆହୁରି ବୃଦ୍ଧି ପାଇବ ।
ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା, ପଣ୍ୟଦ୍ରବ୍ୟ ପରିବହନ ଭିତ୍ତିଭୂମିର ଆଧୁନିକୀକରଣ ଦିଗରେ ଏକ ବଡ଼ ପଦକ୍ଷେପ । ଏହା ମଧ୍ୟ ରେଳ ପରି ଏକ ଭରସାଯୋଗ୍ୟ ଓ ଦକ୍ଷ ପରିବହନ ମାଧ୍ୟମ ଦ୍ବାରା କଶ୍ମୀରଘାଟୀକୁ ଦେଶ ସହ ଯୋଡ଼ିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ।