ନୂଆଦିଲ୍ଲୀ: ମଝି ଆକାଶରେ ଫେଲ୍ ହେଲା ଇଞ୍ଜିନ, ଅଚାନକ ଫେରି ଆସିଲା ବିମାନ। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ଘଟିଛି ଏଭଳି ଘଟଣା। ଏହି ବିମାନ ଜରୁରୀକାଳୀନ ଅବତରଣ କରିଛି। ଆଜି ସକାଳ ୬ଟା ୧୦ ମିନିଟରେ AI-887 ବିମାନଟି ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଡିସେମ୍ବର ୨୨ ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ AI887, ଉଡ଼ାଣ ପରେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ମାନକ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଦିଆଯାଇଥିଲା।
ତେବେ ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଛି। ଯାତ୍ରୀ ଏବଂ କ୍ରୁ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ସୋମବାର ସକାଳେ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ ଅଚାନକ ଫେଲ୍ ହୋଇଯାଇଥିଲା। ବିମାନର ଗୋଟିଏ ଇଞ୍ଜିନ ଚାଲୁ ନଥିବା ଜାଣି ପାରିଥିଲେ ପାଇଲଟ୍। ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସର ଯୋଗା ଯୋଗ କରି ଦିଲ୍ଲୀ ଫେରିବାକୁ ଅନୁମତି ମାଗିଥିଲେ। ପ୍ରାୟ ୪୦ ମିନିଟ୍ ଧରି ଆକାଶରେ ରହିବା ପରେ ୬ଟା ୫୦ରେ ବିମାନଟି ଜରୁରୀ ଅବତରଣ କରିଥିଲା। ଫ୍ଲାଇଟ୍ ଟ୍ରାକିଂ ସାଇଟ୍ ଅନୁଯାୟୀ, ବିମାନଟି ସକାଳ ୬:୧୦ ରେ AI ୮୮୭ ଭାବରେ ମୁମ୍ବାଇ ପାଇଁ ଯାତ୍ରା କରିଥିଲା ଏବଂ ପ୍ରାୟ ୬:୫୨ ରେ ଫେରି ଆସିଥିଲା।
ଜୁନ୍ ୧୨, ୨୦୨୫ ରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ୧୭୧, ଏକ ବୋଇଂ ୭୮୭-୮ ଡ୍ରିମଲାଇନର, ଅହମ୍ମଦାବାଦରୁ ଲଣ୍ଡନ ଯିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କୁ ନେଇଯାଉଥିଲା, ଯାହା ମଧ୍ୟରୁ କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ଏହି ଦୁର୍ଘଟଣା ପରେ, ସମସ୍ତ ଏୟାରଲାଇନ୍ସ ସୁରକ୍ଷା ପ୍ରତି ଯତ୍ନ ନେଉଛନ୍ତି, ତଥାପି ଏୟାର ଇଣ୍ଡିଆରେ ଜରୁରୀକାଳୀନ ଅବତରଣର ଧାରା ବନ୍ଦ ହେଉନାହିଁ।