ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ପ୍ରସଙ୍ଗ। ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ବିରୋଧରେ ସୁପ୍ରିମକୋର୍ଟରେ ଆବବେଦନ ଦାଖଲ କରାଯାଇଛି। ଆଜମେର ଜିଲ୍ଲା କୋର୍ଟ ପରେ, ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ତେବେ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ ଏବଂ ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ଆବେଦନରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଆଜମେର ଦରଘାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ବାର୍ଷିକ ଚାଦର ଅର୍ପଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଖଣ୍ଡପୀଠରେ ଏହି ଆବେଦନ ହୋଇଛି। ଯାହା ଉପରେ ତୁରନ୍ତ ଶୁଣାଣି କରିବାର ଦାବିକୁ ଖଣ୍ଡପୀଠ ତୁରନ୍ତ ଖାରଜ କରି ଦେଇଛନ୍ତି।
ଆବେଦନରେ କୁହାଯାଇଥିଲା, ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଘାରେ ଚାଦର ଚଢାଇବା ପାଇଁ ପଠାଯାଇଛି। ଏହାକୁ ୮୧୪ ତମ ବର୍ଷ ଅବସରରେ ଚଢାଯିବ। ମିଡିଆ ରିପୋର୍ଟ ଅନୁସାରେ, ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କିରେନ୍ ରିଜିଜୁ ଏହି ଚାଦର ପିଏମ୍ ମୋଦିଙ୍କ ପକ୍ଷରୁ ଚଢାଇବେ। ତେଣୁ ଆବେଦନରେ ଏହା ଉପରେ ରୋକ୍ ଲଗାଇବାର ଦାବି କରାଯାଇଛି। ଦରଘାରେ ଚାଦର ଅର୍ପଣ ଏବଂ ଆବେଦନ ସମ୍ପର୍କରେ କିରେନ ରିଜିଜୁ କହିଛନ୍ତି, ଚାଦର ଦେଶର ପ୍ରଗତି ଏବଂ ଲୋକଙ୍କ ମଙ୍ଗଳ ପାଇଁ ଥିଲା। ମୁଁ କୌଣସି ରାଜନୀତି ଉଦ୍ଦେଶ୍ୟରେ କରୁନି। କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ, ତେଣୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କହିଛନ୍ତି, ମୁଁ ସେଠାକୁ ଚାଦର ଚଢଇବାକୁ ଯିବି।’
ଆବେଦନରେ କୁହାଯାଇଛି, ଆଜମେର ଦରଘା ଉପରେ ମୋଦିଙ୍କ ପକ୍ଷରୁ ଚାଦର ଚଢାଇବା ପାଇଁ ପଠାଯିବା ଭୁଲ। କାରଣ ସେଠାରେ ଭଗବାନ ଶିବଙ୍କ ମନ୍ଦିର ଥିଲା ଓ ଏ ସମ୍ପର୍କରେ କୋର୍ଟରେ ଆବେଦନ ଦୀର୍ଘ ଦିନ ଧରି ବିଚାରଧୀନ ରହିଛି। ତେଣୁ ମୋଦିଙ୍କ ପକ୍ଷରୁ ପଠାଯାଇଥିବା ଚାଦରକୁ ଚଢାଇବାରୁ ରୋକାଯାଉ ଏବଂ ତୁରନ୍ତ ଆବେଦନ ଉପରେ ଶୁଣାଣି ହେଉ। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଆଜି ଏହା ଉପରେ ଶୁଣାଣି ହୋଇପାରିବନି। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଜମେର ଦରଘା ପାଇଁ ଚାଦର ପଠାଯାଉଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେହି ପରମ୍ପରା ବଜାୟ ରଖିଛନ୍ତି।