ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଦେଖିଥାଉ ଯେ ଘରେ ଛୋଟ ପିଲାଙ୍କୁ ମଜାରେ କହନ୍ତି ଏହାର ବୁଦ୍ଧି ତା’ ବାପାଙ୍କ ପାଖରୁ ଆସିଛି ବା ମା’ଙ୍କଠୁ ଆସିଛି । ଏହି ସମୟରେ କେତେବେଳେ ବାପା ଗର୍ବରେ କହିଦିଅନ୍ତି ଯେ ନିଶ୍ଚିତ ମୋ’ ବୁଦ୍ଧି ନେଇଛି ସେଥିପାଇଁ ସେ ଏତେ ବୁଦ୍ଧିମାନ୍। ମା’ ମଧ୍ୟ ପଛରେ ନରହି କହନ୍ତି ଯେ ମୁଁ ତାକୁ ଗର୍ଭଧାରଣ କରିବା ପୂର୍ବରୁ ବହୁତ ଭଲ ଭଲ ଖାଦ୍ୟ ଖାଇଥିଲି ତେଣୁ ମୋ ଭଳି ବୁଦ୍ଧିମାନ୍ ହୋଇଛି। କିନ୍ତୁ ଶେଷରେ ବିଜ୍ଞାନ କହେ ଯେ ପିଲାର ବୁଦ୍ଧି (Intelligence) ମା’ଠାରୁ ମିଳେ ନା ବାପାଠାରୁ। ଆପଣ ମଧ୍ୟ ଜାଣନ୍ତୁ ପିଲାର ଉଚ୍ଚ IQ ପଛରେ କାହାର ଜିନ୍ କାମ କରେ…
ବିଜ୍ଞାନୀମାନେ ନିକଟରେ କରିଥିବା ଗବେଷଣାରେ ଦେଖାଇଛନ୍ତି ଯେ ପିଲାର ବୁଦ୍ଧି ମା’ଠାରୁ ମିଳିଥାଏ। ବୁଦ୍ଧି ସମ୍ପର୍କୀୟ ଜିନ୍ଗୁଡ଼ିକ ଏକ୍ସ କ୍ରୋମୋଜୋମ୍ରେ ରହି ପିଲାଙ୍କ ପାଖରେ ଆସିଥାଏ। ମା’ଠାରୁ ପିଲାକୁ ୨ଟି ଏକ୍ସ କ୍ରୋମୋଜୋମ୍ ମିଳେ ତ ବାପାଠାରୁ ପିଲାକୁ ଗୋଟିଏ ଏକ୍ସ କ୍ରୋମୋଜୋମ୍ ମିଳିଥାଏ। ବିଜ୍ଞାନୀମାନଙ୍କ ମତରେ ଉନ୍ନତ କଗ୍ନିଟିଭ୍ ଫଙ୍କସନ୍ରେ ବାପାଙ୍କଠାରୁ ମିଳିଥିବା ଜିନ୍ଗୁଡ଼ିକ ସ୍ୱୟଂଚାଳିତ ଭାବେ ନିଷ୍କ୍ରିୟ ହୋଇଯାଏ। କଣ୍ଡିସନ୍ଡ ଜିନ୍ ନାମରେ ପରିଚିତ ଜିନଗୁଡ଼ିକ କେତେକ କ୍ଷେତ୍ରରେ କେବଳ ମା’ଠାରୁ ମିଳିଲେ ହିଁ କାମ କରେ ଏବଂ କେତେକ କ୍ଷେତ୍ରରେ କେବଳ ବାପାଠାରୁ ମିଳିଲେ ପ୍ରଭାବଶାଳୀ ହୁଏ।
ଗବେଷକମାନେ ଦେଖିଛନ୍ତି ଯେ ବାପାଠାରୁ ମିଳିଥିବା ଜିନ୍ଗୁଡ଼ିକ ପିଲାର ଲିମ୍ବିକ୍ ସିଷ୍ଟମ୍ରେ ମିଳେ ଯାହା ଯୌନତା, ଖାଦ୍ୟ ଏବଂ ଆଗ୍ରେସନ୍ ଭଳି କାର୍ଯ୍ୟରେ ଜଡ଼ିତ ଥାଏ। କିନ୍ତୁ ସେରେବ୍ରାଲ୍ କର୍ଟେକ୍ସରେ ବାପାଙ୍କ ଜିନ୍ ଦେଖାଯାଏ ନାହିଁ। ସେରେବ୍ରାଲ୍ କର୍ଟେକ୍ସରେ ଉନ୍ନତ କଗ୍ନିଟିଭ୍ ଫଙ୍କସନ୍ ଥାଏ ଯେଉଁଥିରେ ରିଜନିଂ, ଚିନ୍ତା, ଭାଷା ଏବଂ ଯୋଜନା ଆଦି ସାମିଲ ହୋଇଥାଏ।