ଭଦ୍ରକ: ପୁଣି ଚାନ୍ଦବାଲିରେ ଲଜ୍ଜା। ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଧାମରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପଡ଼ୋଶୀ ଘରର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କିଛି ଦିନ ତଳେ ପଡ଼ୋଶୀ ଘରର ଯୁବକ ସଂପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବା ସୁଯୋଗରେ ଯୁବକ ଜଣକ ବଳପୂର୍ବକ ଦୁଷ୍କର୍ମ କରିଥିଲା।
ଏହି ଘଟଣାରେ ଲୋକଲଜ୍ଜା ତଥା ମାନସିକ ସନ୍ତୁଳନ ହରାଇ ଯୁବତୀ ଜଣକ ବିଷ ପିଇ ଦେଇଥିଲେ। ତାଙ୍କୁ ଧାମରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟ ଏବେ ବି ସଙ୍କଟାପନ୍ନ ରହିଛି।
ପୀଡ଼ିତା ମାଆଙ୍କ ଏତଲା କ୍ରମେ ଧାମରା ଥାନାରେ କେସ୍ ନମ୍ବର ୫୬/୨୫ରେ ମାମଲା ରୁଜୁ କରି ପୋଲିସ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଆଜି କୋର୍ଟ ଚାଲାଣ କରାଯିବ ବୋଲି ଧାମରା ଥାନାଧିକାରୀ ଶୁଭମ ସ୍ବାଇଁ ସୂଚନା ଦେଉଛନ୍ତି।