ମାଲକାନଗିରି: ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋରୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।
ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି। ଓଡ଼ିଶା ଭିଜିଲାନ୍ସ ଅନୁଯାୟୀ, ଆଜି ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଚାରୋଟି ସ୍ଥାନରେ ଚଢାଉ କରାଯାଉଛି। ଜୟପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ସହିତ ଚାରି ଜଣ ଡିଏସପି, ସାତ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ସର୍ଚ୍ଚ ଅପରେସନ ଚାଲିଛି।
ଯେଉଁ ସ୍ଥାନଗୁଡିକରେ ତଲାସ କରାଯାଉଛି ସେଥିରେ ମାଲକାନଗିରି ଟାଉନର ଜୟନଗରରେ ସରକାରଙ୍କ ଆବାସିକ ତିନି ମହଲା କୋଠା; ମାଲକାନଗିରିର କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୧୦ରେ ତାଙ୍କ ପୈତୃକ ଘର; ନବରଙ୍ଗପୁରର ରାଇଘରରେ ତାଙ୍କ ସମ୍ପର୍କୀୟଙ୍କ ଘର; ଏବଂ ମାଲକାନଗିରିର ବିଡିଓଙ୍କ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଅନ୍ତର୍ଭୁକ୍ତ।