ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ । ଯେଉଁଥିରେ ଦଳ କରିଥିବା ରାଜ୍ୟର ବିକାଶ କୁ ମନେପକାଇଥିଲେ ଏବଂ ଏବେର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନବୀନ କହିଥିଲେ, ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ୧୯୯୭ ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ବାସୀଙ୍କ ସେବା କରି ଆସୁଛୁ । ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ମନ୍ତ୍ର । ବିକାଶ ହେଉଛି ଆମର ପରିଚୟ । ୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶ ଇତିହାସର ସୁନାମ ଅଧ୍ୟାୟ। ବନ୍ୟା, ବିପର୍ଯ୍ୟୟ, ବିକାଶ ସବୁ ସହ ଆମେ ଲଢିଛୁ । ଏବଂ ସଫଳ ମଧ୍ୟ ହୋଇଛୁ । ଓଡିଶାକୁ ନୂଆ ପରିଚୟ ଦେଇଛୁ । ମହିଳାଙ୍କୁ ସଶକ୍ତ କରିଛୁ । ଚାଷୀର ରୋଜଗାର ବୃଦ୍ଧି କରିଛୁ । BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ । ଯୁବଶକ୍ତିଙ୍କୁ ରୋଜଗାର ଦେଇଛୁ । ଏପରି କହି ନବୀନ ସିଧା ସିଧା ବିଜେପି ସରକାରକୁ ଟାର୍ଗେଟ କରିଥିଲେ।
ରାଜ୍ୟ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା:
ଓଡିଶାରେ ଏବେ ଡ଼ବଲ ଇଞ୍ଜିନ ସରକାର ଚାଲିଛି। କିନ୍ତୁ ଡ଼େଭଲପମେଣ୍ଟ କାହିଁ ? ଚାଷୀ ସାର ପାଉନି । ମଣ୍ଡି ଖୋଲୁନି । ମିଶନ ଶକ୍ତି ମା’ ହଇରାଣ ହେଉଛନ୍ତି । ଆଠ ମାସ ଭିତରେ ୧୮ ଟି ପରୀକ୍ଷା ପେପର ଲିକ ହୋଇଛି । ଯୁବ ସମାଜ ହତାଶ । ରାଜ୍ୟରେ ସରକାର ଥିବା ପରି ଅନୁଭବ ହେଉନି । ଲ ଆଣ୍ଡ ଅର୍ଡ଼ର କଥା ନ କହିବା ଭଲ । ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ଏପରିକି ନାବାଳିକା ବି ସୁରକ୍ଷିତ ନୁହନ୍ତି । ଏପରି କିଛି ପ୍ରଶ୍ନ ଉଠାଇ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତିଃ
ବିଜେଡ଼ି ଦଳ ଉପରେ ଚାଲିଥିବା କିଛି ଗୁଜବକୁ ନେଇ ନବୀନ କହିଥିଲେ :
ଏବେ କିଛି ଲୋକ, କିଛି ଦଳ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗି ଯିବ । ଏମିତି ନାନା ଗୁଜବ ଚାଲିଛି । ଓଡ଼ିଶା ଲୋକଙ୍କ ପାଇଁ ବିଜେଡ଼ି ସବୁବେଳେ ଛିଡା ହୋଇଛି ଏବଂ ରହିଥିବ ମଧ୍ୟ । ବିଜେଡ଼ି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ । ରାଜନୀତିରେ ଧର୍ଯ୍ୟ ରଖିବା ସବୁଠାରୁ ମୁଖ୍ୟ । ଏହା ସହିତ ନବୀନ ଓଡ଼ିଶା ବାସୀଙ୍କୁ ଆଗକୁ ଆସୁଥିବା ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
.