IED Spotted On Highway: କାଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ;ରାଜପଥରେ ମିଳିଲା ସନ୍ଦିଗ୍ଧ ଆଇଇଡି…ନଷ୍ଟ କଲେ ସୁରକ୍ଷାକର୍ମୀ
ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ କରାଯାଇଛି। ଶନିବାର ଦିନ ଶ୍ରୀନଗର-ବାରାମୁଲ୍ଲା ରାଜପଥର ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସଭ୍ ଡିଭାଇସ୍ (ଆଇଇଡି) ପାଇବା ପରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହା ପରେ ସୁରକ୍ଷାକର୍ମୀମାନେ ଯାତାୟାତ ବନ୍ଦ କରି ଆଇଇଡିକୁ ନଷ୍ଟ କରିଥିଲେ। ଏହି ସମୟରେ ଯାତାୟାତକୁ ଅନ୍ୟ ରାସ୍ତାକୁ ଡାଇଭର୍ଟ କରାଯାଇଥିଲା।
ସୂଚନାମୁତାବକ, ଶନିବାର ଦିନ ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳର ହାଇଗାମ ନିକଟରେ ଏକ ସନ୍ଦିଗ୍ଧ ବସ୍ତୁ ମିଳିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେନା, ସିଆରପିଏଫ ଏବଂ ପୋଲିସର ଏକ ମିଳିତ ଦଳ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ଓ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଥିଲା। ଏହା ପରେ ଏକ ବୋମା ନିଷ୍କ୍ରିୟକାରୀ ଦଳ (BDS)କୁ ଡକାଯାଇଥିଲା। ଅଧିକାରୀ କହିଛନ୍ତି ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା।
ପୋଲିସ ଅଧିକାରୀ କହିଛନ୍ତି ଯେ ବୋମା ନିଷ୍କ୍ରିୟକାରୀ ଦଳ ଆଇଇଡି ଜବତ କରିଛି ଏବଂ ଏହାର ତଦନ୍ତ ଆରମ୍ଭ କରିଛି। ଏହାପରେ ଏହାକୁ ନଷ୍ଟ କରିଦିଆଗଲା। ପୋଲିସ ଅଧିକାରୀ କହିଛନ୍ତି ଯେ କିଏ IED ଲଗାଇଥିଲା ତାହାର ତଦନ୍ତ ଚାଲିଛି। ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।