Latest Odisha News

BREAKING NEWS

Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାର ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ ଯଶୀପୁରକୁ ଏଣିକି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଧାରା ୨୪୩-କ୍ୟୁ ଏବଂ ଓଡ଼ିଶା ପୌର ଆଇନ, ୧୯୫୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଯଶୀପୁରକୁ ଏହି ନୂତନ ମାନ୍ୟତା ଦିଆଯାଇଛି।

ଏହି ଖୁସିର ମୁହୂର୍ତ୍ତରେ ସମଗ୍ର ଯଶିପୁରବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ବିମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ଯଶୀପୁର ଏବଂ ଏହାର ଆଖପାଖ ଗ୍ରାମଗୁଡ଼ିକୁ ନେଇ ଏକ ସଂକ୍ରମଣକାଳୀନ ଅଞ୍ଚଳ ଗଠନ କରାଯାଇଛି। ଏହାକୁ ଆଧାର କରି ଯଶୀପୁର ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ଗଠିତ ହୋଇଛି। ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ହିଁ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଲୋକମାନେ ସହରାଞ୍ଚଳର ସମସ୍ତ ସୁବିଧା ସୁଯୋଗ ପାଇପାରିବେ।

ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଜ୍ଞପ୍ତି ଯଶୀପୁର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି। ଏହି ନୂତନ ପରିଷଦ ଗଠନ ହେବା ଫଳରେ ଯଶୀପୁରର ଯୋଜନାବଦ୍ଧ ବିକାଶ, ପରିମଳ ବ୍ୟବସ୍ଥା ଏବଂ ନାଗରିକ ସେବାରେ ବ୍ୟାପକ ସଂସ୍କାର ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.