ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି ।
ଶୁଭା ଶର୍ମା ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କରାଯାଇଛି । ଏଥିସହିତ ସେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଭାବେ କାର୍ଯ୍ୟଭାର ସମ୍ଭାଳିବେ ।
ଭାସ୍କରଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପ୍ରଶାସନିକ ସ୍ତରରେ ଜିଲ୍ଲାପାଳଙ୍କ ମଧ୍ୟରେ ମଧ୍ୟ ଅଦଳବଦଳ ହୋଇଛି। ମଧୁସ୍ମିତା ରଥଙ୍କୁ ନୟାଗଡ଼ର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।