ଢାକା: ବାଂଲାଦେଶର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଥମିବାର ନାଁ ନେଉନି। ଆଉ ଏବେ ଜଣେ ପ୍ରସିଦ୍ଧ ସଂଗୀତଜ୍ଞ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗ୍ ଦଳ ସହିତ ଜଡିତ ନେତା ପ୍ରଳୟ ଚାକିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।
ଯିଏକି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଥିଲେ ଏବଂ ତାଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ଅସୁସ୍ଥତା ଯୋଗୁ ହୋଇଥିବା ପ୍ରଶାସନ କହିଥିବା ବେଳେ ତାଙ୍କ ମୃତ୍ୟୁ ଅବହେଳା ଏବଂ ଚିକିତ୍ସା ଅଭାବରୁ ହୋଇଥିବା ପରିବାର ଲୋକ ଦାବି କରିଛନ୍ତି। ରବିବାର ରାତିରେ ରାଜଶାହୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରଳୟ ଚାକିଙ୍କ ବୟସ ୬୦ ବର୍ଷ ଥିଲା ଓ ସେ ଜଣେ ନେତା ଓ ଜଣାଶୁଣା ସଂଗୀତଜ୍ଞ ତଥା ସାଂସ୍କୃତିକ କର୍ମୀ ମଧ୍ୟ ଥିଲେ। ସେ ଆୱାମୀ ଲିଗ୍ ର ପାବନା ଜିଲ୍ଲା ୟୁନିଟର ସାଂସ୍କୃତିକ ବ୍ୟାପାର ସଚିବ ଥିଲେ ଏବଂ ୧୯୯୦ ଦଶକରୁ ସାଂସ୍କୃତିକ କାର୍ଯ୍ୟକଳାପରେ ଜଡିତ ଥିଲେ। ତାଙ୍କ ଉପରେ ୨୦୨୪ ମସିହାରେ ଆନ୍ଦୋଳନ ସମୟରେ ଏକ ବିସ୍ଫୋରଣ ଅଭିଯୋଗ ହୋଇଥିଲା। ଯେଉଁ ଘଟଣାରେ ତାଙ୍କୁ ଡିସେମ୍ବରରେ ଗିରଫ କରାଯାଇଥିଲା।
ଚାକି ପୂର୍ବରୁ ମଧୁମେହ ଏବଂ ହୃଦରୋଗ ସମେତ ଅନେକ ରୋଗରେ ପୀଡିତ ଥିବା ନେଇ ପାବନା ଜେଲ୍ ଅଧୀକ୍ଷକ ମହମ୍ମଦ ଓମର ଫାରୁକ କହିଛନ୍ତି। ଗତ ଶୁକ୍ରବାର ଚାକିଙ୍କୁ ହୃଦଘାତ ହୋଇଥିଲା ଓ ତାଙ୍କୁ ପ୍ରଥମେ ପାବନା ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ଅବସ୍ଥା ଆହୁରି ଗମ୍ଭୀର ହେବାରୁ ତାଙ୍କୁ ରାଜଶାହୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁଠାରେ ରବିବାର ରାତି ପ୍ରାୟ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।
ଅପରପକ୍ଷେ ତାଙ୍କ ପୁଅ ସୋନି ଚାକି ପ୍ରଶାସନ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ବାପା ଦୀର୍ଘଦିନ ଧରି ମଧୁମେହ ଏବଂ ହୃଦରୋଗରେ ପୀଡିତ ଥିଲେ, କିନ୍ତୁ ଜେଲରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। କର୍ତ୍ତୃପକ୍ଷ ସେମାନଙ୍କୁ ସଠିକ୍ ସମୟରେ ସୂଚନା ଦେଇନଥିଲେ। ଅନ୍ୟମାନଙ୍କଠାରୁ ଖବର ପାଇ ସେମାନେ ଡାକ୍ତରଖାନାକୁ ଯାଇଥିବା ନେଇ ତାଙ୍କ ପୁଅ କହିଥିଲେ। ଅପରପକ୍ଷରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବା ସୋନି କହିଛନ୍ତି। ଏଥିସହିତ ତାଙ୍କ ବାପାଙ୍କ ବିରୁଦ୍ଧରେ କୌଣସି ମାମଲା ଉଲ୍ଲେଖ ନକରି ରାଜନୈତିକ ଚାପ ଏବଂ ପ୍ରତିଶୋଧ ପାଇଁ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି।